ସରୋଗେସି ପାଇଁ ମିଳିବ ସରକାରୀ ଛୁଟି, ରାଜ୍ୟ ସରକାର କଲେ ଘୋଷଣା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଉଧାର ମାତୃତ୍ୱ ବା ସରୋଗେସି ପାଇଁ ମାତୃତ୍ବ ଓ ପିତୃତ୍ବ ଛୁଟି ଘୋଷଣା କରିଛନ୍ତି । ସରୋଗେସି ପାଇଁ ମହିଳା କର୍ମଚାରୀଙ୍କୁ ଛଅ ମାସ ଅର୍ଥାତ ୧୮୦ ଦିନ ଓ ପୁରୁଷ କର୍ମଚାରୀଙ୍କୁ ୧୫ ଦିନର ମାତୃତ୍ୱ ଓ ପିତୃତ୍ୱ ପାଇଁ ଛୁଟି ମିଳିବ । ରାଜ୍ୟପାଳଙ୍କ ଅନୁମୋଦନ ପରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସରୋଗେସି ପାଇଁ ରାଜ୍ୟ ସରକାରଙ୍କ ଏହି ନୂଆ ଛୁଟି ନିୟମ ଗୁରୁବାର ଠାରୁ କାର୍ଯ୍ୟକାରୀ ହୋଇଛି ।
ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଉଧାର ମାତୃତ୍ୱ ବା ସରୋଗେସି ମାତୃତ୍ୱ ଓ ପିତୃତ୍ୱ ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଛୁଟି ପ୍ରଦାନ ପ୍ରସ୍ତାବ ବିଚାରଧୀନ ଥିଲା । ଯାହାକୁ ରାଜ୍ୟପାଳ ଆଦେଶ କ୍ରମେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ଅର୍ଥ ବିଭାଗ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିବା ସହ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିଛି ।
ସରୋଗେସି ଦ୍ୱାରା ମା ଓ ବାପା ହେଉଥିବା ସରକାରୀ କର୍ମଚାରୀଙ୍କ ଲାଗି କିଛି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି । ତେବେ ଜଣେ ରାଜ୍ୟ ସରକାରୀ ମହିଳା କର୍ମଚାରୀ, ଯିଏ ଦୁଇରୁ କମ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମାତା’ ହୁଅନ୍ତି, ସେ ୧୮୦ ଦିନର ମାତୃତ୍ୱ ଛୁଟି ଲାଭ କରିବାକୁ ଯୋଗ୍ୟ ବିବେଚିତ ହେବେ। ସେହିପରି ଅଧିଷ୍ଠାତା ମାତା ଅର୍ଥା କମିସନିଙ୍ଗ ମଦର ମଧ୍ୟ ୧୮୦ ଦିନର ମାତୃତ୍ୱ ଛୁଟି ପାଇପାରିବେ। ଏଥିସହ ଜଣେ ରାଜ୍ୟ ସରକାରୀ ପୁରୁଷ କର୍ମଚାରୀ, ଯିଏ ଦୁଇରୁ କମ ଜୀବିତ ସନ୍ତାନ ଥାଇ ‘ଅଧିଷ୍ଠାତା ପିତା’ ବା କମିସନିଙ୍ଗ ଫାଦର ହୁଅନ୍ତି, ସେ ସନ୍ତାନ ଜନ୍ମ ତାରିଖରୁ ୬ ମାସ ମଧ୍ୟରେ ୧୫ ଦିନର ପିତୃତ୍ୱ ଛୁଟି ଲାଭ କରିବାକୁ ଯୋଗ୍ୟ ବିବେଚିତ ହେବେ।
ସରୋଗେସିରେ, ଜଣେ ମହିଳା ନିଜ ଦାତାଙ୍କ ଅଣ୍ଡା ମାଧ୍ୟମରେ ଅନ୍ୟ ଦମ୍ପତିଙ୍କ ପାଇଁ ଗର୍ଭବତୀ ହୁଅନ୍ତି । ଯେଉଁ ମହିଳା ନିଜ ଗର୍ଭରେ ଅନ୍ୟର ସନ୍ତାନ ବହନ କରନ୍ତି ତାଙ୍କୁ ସରୋଗେଟ୍ ମାତା କୁହାଯାଏ । ସରୋଗେସିରେ, ଜଣେ ମହିଳା ଏବଂ ଏକ ସନ୍ତାନ ଖୋଜୁଥିବା ଦମ୍ପତିଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି | ଏହା ଅଧୀନରେ, ଏହି ଗର୍ଭଧାରଣରୁ ଜନ୍ମ ହୋଇଥିବା ଶିଶୁର ଆଇନଗତ ପିତାମାତା ହେଉଛନ୍ତି ଦମ୍ପତି ଯେଉଁମାନେ ସରୋଗେସି କରିଛନ୍ତି । ସରୋଗେଟ୍ ମାତାଙ୍କୁ ଗର୍ଭାବସ୍ଥାରେ ନିଜର ଯତ୍ନ ନେବାକୁ ଏବଂ ଚିକିତ୍ସା ଆବଶ୍ୟକତା ପାଇଁ ଅର୍ଥ ଦିଆଯାଏ ଯାହା ଦ୍ବାରା ସେ ଗର୍ଭାବସ୍ଥାରେ ନିଜର ଯତ୍ନ ନେଇପାରନ୍ତି ।