ଭଦ୍ରକ ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା
ଭଦ୍ରକ (ସଂକେତ ଟିଭି): ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ ହେବା ପରେ ସାରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସୋମବାର ଦିନ ଦୁଇଟା ପର୍ଯ୍ଯନ୍ତ ଏହି ସେବା ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ସେହିପରି ଭଦ୍ରକ ପୁରୁଣାବଜାର, ଚନ୍ଦନବଜାର, ସନ୍ଥିଆ ଅଞ୍ଚଳ ସମେତ ଧାମନଗର ଏନଏସି ଓ ଦୋବଲରେ ଅଞ୍ଚଳରେ ଜିଲା ପ୍ରଶାସନ ପକ୍ଷରୁ ବିଏନ୍ଏସ୍ଏସ୍ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି କରାଯାଇଛି। ଘଟଣାସ୍ଥଳରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି। ଘଟଣାକୁ ନେଇ ଭଦ୍ରକରେ ୧୦ ପ୍ଲାଟୁନ ଓ ଧାମନଗରରେ ଛଅ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ଘଟଣାରେ ସାତ ଜଣଙ୍କୁ ପୋଲିସ ଗିରଫ କରିଛି। ଉଭୟ ପକ୍ଷର ମୁରବିଙ୍କୁ ନେଇ ଶାନ୍ତି କମିଟି ବୈଠକ ଡକାଯିବ ବୋଲି ଉଭୟ ଜିଲ୍ଲାପାଳ ଓ ଏସପି ସୂଚନା ଦେଇଛନ୍ତି।
ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଦିନ ପ୍ରଥମେ ଗୋଟିଏ ଗୋଷ୍ଠୀର ଶତାଧିକ ଲୋକ ଟାୟାର ଜାଳି ଏକ ରାଲି ବାହାର କରୁଥିବା ବେଳେ, ଭଦ୍ରକ ସନ୍ଥିଆ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭଦ୍ରକ ପୋଲିସ ଏହି ରାଲି ବନ୍ଦ କରି ଦୋଷୀକୁ ଧରିବାକୁ ଯାଉଥିବା ବେଳେ ପଥର ମାଡ଼ରେ ତିନି ଜଣ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଏଥିସହ ତହସିଲଦାରଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା ଆନ୍ଦୋଳନକାରୀ କରିଥିଲେ । ପୋଲିସ ଉପରକୁ ଆକ୍ରମଣ ବେଳେ ଗାଡି ଭଙ୍ଗାରୁଜା ବେଳର ଭିଡିଓ ଯାଞ୍ଚ କରାଯାଉଛି।