୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଖାଦ୍ୟ ସୁରକ୍ଷା ଅଧିକାରୀ
କେନ୍ଦ୍ରାପଡ଼ା (ସଂକେତ ଟିଭି): ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କେନ୍ଦ୍ରାପଡ଼ା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲାଇସେନ୍ସ ନବୀକରଣ ପାଇଁ ଏକ ବିସ୍କୁଟ ଫ୍ୟାକ୍ଟ୍ରିର ମାଲିକଙ୍କ ଠାରୁ ସେ ଲାଞ୍ଚ ନେଉଥିଲେ । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଅଫିସ ଛାନ୍ଭିନ୍ କରିବା ସହ ବିଭାସ ମଜୁମଦାରଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖି ପଚରାଉଚରା କରୁଛି । ଏଥିସହ ଫୁଡ୍ ସେଫ୍ଟି ଅଫିସରଙ୍କ ଭଡ଼ା ଘର ଓ ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।
ସୂଚନା ଅନୁସାରେ ଫୁଡ୍ ଲାଇସେନ୍ସ କରାଇ ଦେବା ପାଇଁ ସଞ୍ଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ବିଭାସ ହଇରାଣ କରୁଥିଲେ। ଲାଇସେନ୍ସ କରିଦେବା ପାଇଁ ଆଜି କାଲି ସମୟ ଗଡ଼ାଇ ଚାଲିଥିଲେ। ହେଲେ ତାଙ୍କର ଲାଇସେନ୍ସ କରୁ ନଥିଲେ। ସଞ୍ଜୟ ବାରମ୍ବାର ବାରମ୍ବାର ଲାଇସେନ୍ସ ଅଫିସକୁ ଦୌଡ଼ି ନୟାନ୍ତ ହୋଇଥିଲେ। ଶେଷରେ ଫୁଡ୍ ସେଫ୍ଟି ଅଫିସର ଲାଇସେନ୍ସ କରି ଦେବା ପାଇଁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ସଞ୍ଜୟ ଫୁଡ୍ ସେଫ୍ଟି ଅଫିସରଙ୍କୁ ପ୍ରଥମେ ୪୦ ହଜାର ଟଙ୍କା ଦେଇଥିଲେ। ଆଉ ୫ ହଜାର ଟଙ୍କା ବାକି ଥିଲା। ଆଜି ସେହି ଅବଶିଷ୍ଟ ଟଙ୍କା ନେବାକୁ କହିଥିଲେ । ଘଟଣା ସଂପର୍କରେ ସଞ୍ଜୟ ଭିଜିଲାନ୍ସକୁ ପୂର୍ବରୁ ଅବଗତ କରାଇଥିଲେ। ଜାତୀୟ ରାଜପଥ ତିନିମୁହାଣି ଛକରେ ଫୁଡ୍ ସେଫ୍ଟି ଅଫିସର ଆଜି ଲାଞ୍ଚ ନେବାବେଳେ ସେହି ସ୍ଥାନରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ। ଫୁଡ୍ ସେଫ୍ଟି ଅଫିସରଙ୍କୁ ଭିଜିଲାନ୍ସ ପଚରାଉଚରା କରିଥିବା ବେଳେ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି।