ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ନବୀନ
ଭୁବନେଶ୍ୱର (ସଂକେତ ଟିଭି): ଗାନ୍ଧୀ ଜୟନ୍ତୀ ଅବସରରେ ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନ ଜାଗରଣ ପଦଯାତ୍ରା ଆରମ୍ଭ ହୋଇଛି ।ଭୁବନେଶ୍ବରର ବଡଗଡ ବ୍ରିଟ କଲୋନୀ ନେତାଜୀ ପଡିଆରୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି।
ପଦଯାତ୍ରାର ଶୁଭାରମ୍ଭ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ଗତ ୩ ମାସ ମଧ୍ୟରେ ଶାନ୍ତି ପ୍ରିୟ ରାଜ୍ୟ ଓଡ଼ିଶା କିପରି ଅଶାନ୍ତିର ଚରମ ସୀମାରେ ପହଞ୍ଚିଲାଣି ବୋଲି ନବୀନ କହିଛନ୍ତି । ୨୪ ବର୍ଷ ଶାସନକାଳ ମଧ୍ୟରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ କ୍ଷେତ୍ରରେ ହୋଇଥିବା ଉନ୍ନତି ସମ୍ପର୍କରେ ଆୟୋଜିତ ସଭାରେ ନବୀନ ଲୋକଙ୍କୁ ଅବଗତ କରାଇଥିଲେ।
ନବୀନ କହିଛନ୍ତି ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ଓଡ଼ିଶାର ବିକାଶ ପାଇଁ ବହୁତ କିଛି କରିଛି । ଡବଲ ଇଂଜିନ ସରକାର ଶାସିତ ରାଜ୍ୟଙ୍କଠାରୁ ଓଡ଼ିଶା ଢେର ଆଗରେ ଅଛି । ବିଜେଡି ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ଲୋକ ଉପକୃତ ହୋଇଛନ୍ତି । ବର୍ତ୍ତମାନ ସରକାର ସେହି ଯୋଜନାର ନାମ ବଦଳାଇ ଦେଇଛନ୍ତି । ଆପଣ ଯୋଜନାର ନାମ ବଦଳାଇ ଦେଇ ପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ । ମିଛ କାହାଣୀ କହି ବିଜେପି କ୍ଷମତାକୁ ଆସିଛି । ଆପଣ ମାନେ ମାଗଣାରେ ୩ଶହ ୟୁନିଟ୍ ବିଜୁଳୀ ପାଉଛନ୍ତି ? କେତେ ଜଣ ମା’ ୫୦ ହଜାର ଟଙ୍କା ପାଇଲେଣି ? ବୋଲି ନବୀନ ପ୍ରଶ୍ନ କରିଛନ୍ତି।
ନିର୍ବାଚନ ବେଳେ ବିଜେପି ମିଥ୍ଯା ପ୍ରତିଶୃତି ଦେଇଥିଲା । ଏବେ ବିଜେପିର ମିଛକୁ ଓଡିଶାର ଲୋକେ ଜାଣି ସାରିଲେଣି । ଦରଦାମକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ । ଓଡ଼ିଶାରେ ମା’ମାନେ ଥାନାରେ ବି ସୁରକ୍ଷିତ ନାହାନ୍ତି । ସରକାରୀ କର୍ମଚାରୀ ରାଜଭବନରେ ମଧ୍ୟ ସୁରକ୍ଷିତ ନାହାନ୍ତି । ଏହି ସରକାରକୁ ଲୋକ ଭରସା କରି ପାରୁନାହାନ୍ତି । ମିଛ କଥା କହି ନିର୍ବାଚନ ଜିତି ପାରିବେ କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ଓଡ଼ିଶାର ଦ୍ରାରିଦ୍ର୍ୟ ୭୦ ପ୍ରତିଶତ ଥିଲା । ଆଜି ଏହା ୧୦ ପ୍ରତିଶତକୁ କମିଛି । ଆମ ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିଛି । ଆନେକ ଡବଲ ଇଂଜିନ ରାଜ୍ୟଙ୍କଠାରୁ ଓଡ଼ିଶା ଆଗରେ ଅଛି ବୋଲି ନବୀନ କହିଥିଲେ।