ଇସ୍ରାଏଲ ଉପରେ ୧୮୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ
ନୂଆଦିଲ୍ଲୀ (ସଂକେତ ଟିଭି): ଇରାନ ଇସ୍ରାଏଲ ଉପରେ ୧୮୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଗତକାଲି ରାତିରେ ଏକକାଳୀନ ଏହି କ୍ଷେପଣାସ୍ତ୍ର ମାଡ କରିଥିଲା । ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀ ‘ଆଇରନ୍ ଡୋମ୍’ କିଛି ଇରାନୀ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ଇଣ୍ଟରସେପ୍ଟ କରିଥିଲେ ସୁଦ୍ଧା କିଛି କ୍ଷେପଣାସ୍ତ୍ର ଟାର୍ଗେଟ ହିଟ୍ କରିବାରେ ସଫଳ ହୋଇଛି । ଭାରତୀୟ ସମୟ ରାତି ପ୍ରାୟ ସାଢେ ୧୦ଟାରେ ଏହି ଆକ୍ରମଣ ହୋଇଛି ।
କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାରା ଦେଶରେ ସାଇରନ୍ ବାଜୁଥିବା ବେଳେ ବ୍ୟାପକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲା ବୋଲି ଇସ୍ରାଏଲ୍ ସୈନ୍ୟବାହିନୀ କହିଛି। ତେବେ ଇରାନର ଏହି ରକେଟ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଇସ୍ରାଏଲର ପ୍ରତିରକ୍ଷା ପ୍ରଣାଳୀ ସକ୍ରିୟ ହୋଇଯାଇଥିଲା। ଇସ୍ରାଏଲର ସାମରିକ ପ୍ରତିଷ୍ଠାନ ଓ ସାଧାରଣ ଜନବସତିକୁ ଏଥିରେ ଟାର୍ଗେଟ କରାଯାଇଛି । କେତେକ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବମ୍ ସେଲଟର ବା ବୋମା ନିରୋଧୀ ଆଶ୍ରୟସ୍ଥଳୀରେ ଇସ୍ରାଏଲୀ ନାଗରିକଙ୍କୁ ରଖାଯାଇଥିବାର ସୂଚନା ମିଳିଛି ।
ଇରାନ କହିଛି ଯେ ସୟଦ ହାସନ ନସରାଲ୍ଲା ଏବଂ ଶହୀଦ ନିଲଫୋରୋଶାନଙ୍କ ଶହୀଦଙ୍କ ଜବାବରେ ଏହା ଅଧିକୃତ ଅଞ୍ଚଳଗୁଡିକୁ ଟାର୍ଗେଟ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଇରାନ ବଡ ଭୁଲ କରିଛି । ଏହାର ପରିଣାମ ଭୋଗିବାକୁ ପଡିବ । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) କହିଛି, ଇରାନର ଏକାଧିକ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ନଷ୍ଟ କରାଯାଇଛି । ଦକ୍ଷିଣ-ଇସ୍ରାଏଲରେ କିଛି ରକେଟ ମାଡ ହୋଇଛି । ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । କୌଣସି ସମୟରେ, କୌଣସିଠାରେ ଓ କୌଣସି ପ୍ରକାରେ ଆମେ ଏହାର ପ୍ରତିଜବାବ ଦେବୁ । ଅନ୍ୟପଟେ ଆକ୍ରମଣର ପ୍ରତି ଜବାବ ଦେବାକୁ ଇସ୍ରାଏଲ ପ୍ରୟାସ କଲେ ସ୍ଥିତି ଭୟାବହ ହେବ ବୋଲି ଇରାନ ମଧ୍ୟ ଚେତାଇ ଦେଇଛି ।
ତେବେ ଏହି ଯୁଦ୍ଧରେ ଆମେରିକା ସିଧା ଯୁଦ୍ଧରେ ପ୍ରବେଶ ମଧ୍ୟ କରିଛି । ଇସ୍ରାଏଲ ଅଭିମୁଖେ କ୍ଷେପଣ କରାଯାଇଥିବା ଇରାନର ଯେକୌଣସି କ୍ଷେପଣାସ୍ତ୍ରକୁ ଟାର୍ଗେଟ କରି ଖସାଇ ଦେବାପାଇଁ ଆମେରିକା ସେନାକୁ ରାଷ୍ଟ୍ରପତି ବାଇଡେନ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟପ୍ରାଚ୍ୟର ଏକାଧିକ ଦେଶରେ ଥିବା ଆମେରିକାର ସାମରିକ ଆଡ୍ଡାକୁ ହାଇଆଲର୍ଟରେ ରଖାଯିବା ସହ କୌଣସି ମିଶନ ପାଇଁ ପ୍ରସ୍ତୁତ ରହିବାକୁ ପେଣ୍ଟାଗନ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।