ଭାରତର ରାଷ୍ଟ୍ରଦୂତ ଫେରାଇ ନେଲା ବାଂଲାଦେଶ
ଭୁବନେଶ୍ୱର(ସଂକେତ ଟିଭି): ଭାରତ ଲାଗି ନିଯୁକ୍ତ ହାଇକମିଶନର ମୁସ୍ତାଫିଜୁର ରହମାନଙ୍କ ସମେତ ୫ଟି ଦେଶର କୂଟନୀତିଜ୍ଞଙ୍କୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଢାକାକୁ ଫେରାଇ ଆଣିବାକୁ ନିର୍ଦେଶ ଦେଇଛନ୍ତି । ରହମାନ ଗତ ୨୦୨୦ରୁ ନୂଆଦିଲ୍ଲୀରେ ଉଚ୍ଚାୟୁକ୍ତ ଭାବେ କାର୍ଯ୍ୟ କରୁଥିଲେ । ରହମାନଙ୍କ ସମେତ ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ ମହମ୍ମଦ ଅବଦୁଲ ମୁହିଥ, ଅଷ୍ଟ୍ରେଲିଆର ହାଇ କମିଶନର ଏମ ଆଲ୍ଲାମା ସିଦ୍ଦିକି, ବେଲଜିୟମର ରାଷ୍ଟ୍ରଦୂତ ମେହବୁବ ହଲ୍ସନ ସାଲେହ ଏବଂ ପର୍ତ୍ତୁଗାଲର ରାଷ୍ଟ୍ରଦୂତ ରେଜିନା ଅହମ୍ମଦ ଅଛନ୍ତି।
ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଏବଂ ଦେଶ ଛାଡିବା ପରେ ଗତ କିଛି ମାସ ମଧ୍ୟରେ ବାଂଲାଦେଶର ରାଜନୈତିକ ସ୍ଥିତି ଅସ୍ଥିର ରହିଛି। ଦେଶରେ ବିକ୍ଷୋଭ ବଢିବା ଯୋଗୁଁ ହାସିନା ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଦେଶ ଛାଡି ଭାରତରେ ଆଶ୍ରୟ ନେଇଥିଲେ। ଏହା ପରେ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀ ସରକାର ଗଠନ କରାଯାଇଥିଲା।
ତେବେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ନିକଟରେ ଢାକାକୁ ଭାରତ ସମେତ ୫ଟି ଦେଶର କୂଟନୀତିଜ୍ଞଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିନା ବିଳମ୍ବରେ ଫେରିବା ପାଇଁ ନିର୍ଦ୍ଦେଶ ସହିତ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି।