ଭୁବନେଶ୍ବର ବିମାନ ବନ୍ଦରରେ ନିର୍ମାଣ ହେବ ଦ୍ବିତୀୟ ଟର୍ମିନାଲ
ଭୁବନେଶ୍ବର (ସଂକେତ ଟିଭି): : ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ନୂଆ ଟର୍ମିନାଲର ନିର୍ମାଣ ହେବ । ପୁରୁଣା ଟର୍ମିନାଲ ପାଖରେ ଦୁଇ ବର୍ଷ ମଧ୍ୟରେ ୮୦ ଲକ୍ଷ କ୍ଷମତା ବିଶିଷ୍ଟ ନୂଆ ଟର୍ମିନାଲ ନିର୍ମାଣ ହେବ । ଖୁବଶୀଘ୍ର ରନୱେ କ୍ୟାଟଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ । ବର୍ତ୍ତମାନ ଭୁବନେଶ୍ବର ବିମାନବନ୍ଦରରୁ ବାର୍ଷିକ ୪୦ରୁ ୫୦ ଲକ୍ଷ୍ୟ ଯାତ୍ରୀ ଯାତାୟାତ କରୁଥିବା ବେଳେ ନୂଆ ଟର୍ମିନାଲ ପରେ ଏହାକୁ ୮୦ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ବର ବିମାନ ବନ୍ଦରରେ ସମୀକ୍ଷା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଏହା କହିଛନ୍ତି ।
କେ. ରାମମୋହନ ନାଇଡୁ ପ୍ରତିକ୍ରିୟାରେ କହିଛନ୍ତି, “ଏବେ ଦେଶର ୨୦ଟି ସହର ସହ ବିଦେଶର ୪ ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି । ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ଆଗକୁ ଯିବ । ଭୁବନେଶ୍ବରରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ ରୁ ୫୦ ଲକ୍ଷ ଲୋକସଂଖ୍ୟା କ୍ଷମତା ରହିଛି । ଏହାକୁ ବୃଦ୍ଧି କରାଯିବ । ଆସନ୍ତା ବର୍ଷେ ମଧ୍ୟରେ ଏହାକୁ ୮୦ ଲକ୍ଷ କରାଯିବ । ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ଦୁଇ ବର୍ଷ ମଧ୍ୟରେ ନୂଆ ଟର୍ମିନାଲ ନିର୍ମାଣ ହେବାକୁ ଯୋଜନା କରାଯାଇଛି। ”
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ”ପୁରୀ ଏୟାରପୋର୍ଟ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଜମି ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଇଟ କ୍ଲିୟରାନ୍ସ ମିଳି ସାରିଛି । ଆଗକୁ କିଭଳି ବଢିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଏଥିପାଇଁ ମନ୍ତ୍ରଣାଳୟ ସବୁ ପ୍ରକାର ସହଯୋଗ କରିବ ।