FeaturedLatestNews

ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବଂ ଓଏସଡି ନିଯୁକ୍ତି ପାଇଁ ଜାରି ହେଲା ନିର୍ଦେଶାବଳୀ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ଓ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି(ଓଏସଡି) ଚୟନ ଏବଂ ନିଯୁକ୍ତି ପାଇଁ ନିର୍ଦେଶାବଳୀ ଜାରି କରିଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ନିର୍ଦେଶାବଳୀ ଜାରି ହୋଇଛି।

ନିର୍ଦେଶାବଳୀ ଅନୁଯାୟୀ, ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ପାହ୍ୟା ଅଧିକାରୀମାନେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇପାରିବେ । ଯୁଗ୍ମ ସଚିବ କିମ୍ବା ଉପ ସଚିବ ପାହ୍ୟା ଅଧିକାରୀ ଓଏସଡି ହୋଇପାରିବେ। ବ୍ୟକ୍ତିଗତ ସଚିବଙ୍କଠାରୁ ଓଏସଡି ଗୋଟିଏ ରାଙ୍କ୍‌ କନିଷ୍ଠ ହୋଇଥିବା ଆବଶ୍ୟକ । ଯଦି ଜଣେ ପୂର୍ବରୁ ବ୍ୟକ୍ତିଗତ ସଚିବ କିମ୍ବା ଓଏସଡି ଥିବେ ତେବେ ତାଙ୍କୁ ନୂଆ କରି ସେହି ପଦବୀଗୁଡ଼ିକରେ ନିଯୁକ୍ତି ଦେବାକୁ ହେଲେ ୫ ବର୍ଷ ବ୍ୟବଧାନ ରଖାଯିବା ଜରୁରୀ। ଅର୍ଥାତ୍ ଏହି ପଦବୀରେ ପୂର୍ବ ନିଯୁକ୍ତି ଓ ବର୍ତ୍ତମାନ ନିଯୁକ୍ତି ମଧ୍ୟରେ ୫ ବର୍ଷ ବ୍ୟବଧାନ ରହିବା ବାଧ୍ୟତାମୂଳକ।

ଏଥିସହ ଯେଉଁ ଅଧିକାରୀମାନଙ୍କୁ ଏହି ପଦୀରେ ନିଯୁକ୍ତି ଦିଆଯିବ ସେମାନଙ୍କ ବିରୋଧରେ କୌଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଆବଶ୍ୟକ। ସେହିପରି ତାଙ୍କ ନାଁରେ କୌଣସି ପ୍ରକାର ଭିଜିଲାନ୍ସ କିମ୍ବା ଅପରାଧିକ ମାମଲା ନ ଥିବା ଆବଶ୍ୟକ। ସେହି ବ୍ୟକ୍ତିଙ୍କ ସିସିଆର/ପିଏଆରରେ କୌଣସି ପ୍ରକାର ପ୍ରତିକୂଳ ମନ୍ତବ୍ୟ ନ ଥିବ। ପ୍ରାର୍ଥୀ ନିଶ୍ଚିତ ଭାବରେ ସିସିଆର/ପିଏଆରର ଗତ ୬୦ ମାସ ମଧ୍ୟରେ ଅତି କମରେ ୩୬ ମାସ ପାଇଁ “ବହୁତ ଭଲ” କିମ୍ବା “ଉଲ୍ଲେଖନୀୟ” ରେଟିଂ ପାଇଥିବେ।