ବାତ୍ୟା ‘ଦାନା’ ପାଇଁ ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ
ଭୁବନେଶ୍ୱର (ସଂକେତ ଟିଭି): ବାତ୍ୟା ‘ଦାନା’ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ବାତ୍ୟା କେଉଁ ବାଟେ ଦେଇ ଯିବ, ବାତ୍ୟାର ଗତିପଥ ଉପରେ କଣ୍ଟ୍ରୋଲ ରୁମ୍ ତୀକ୍ଷଣ ନଜର ରଖିଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର କାର୍ଯ୍ୟ ଉପରେ ଏହି କଣ୍ଟ୍ରୋଲ ରୁମ ନଜର ରଖିଛି ।
ସାମ୍ଭାବ୍ୟ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଠାଯିବ । ବାତ୍ୟାର ଚିତ୍ର କ୍ରମଶଃ ସ୍ପଷ୍ଟ ହେବା ପରେ ସରକାର ମୁକାବିଲା ରଣନୀତିକୁ ତ୍ବରାନ୍ବିତ କରିବେ । ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀରେ ଥଇଥାନ, ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା, ଉଦ୍ଧାର ଓ ରିଲିଫ ଆଦି ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଛି ।
କେଉଁ ଜିଲ୍ଲାକୁ କେତେ ‘ଏନଡ଼ିଆରଫ’ ଓ ‘ଓଡ୍ରାଫ’ ଟିମ ଯିବ ସେନେଇ ଆଲୋଚନା ଚାଲିଛି । ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲା ସମ୍ଭାବ୍ୟ ପ୍ରଭାବିତ ତାଲିକାରେ ଥିବାରୁ ଅଧିକ ସଂଖ୍ୟାରେ ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ୍ ପଠାଯିବ । ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବ ‘ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ । ଜିଲ୍ଲାପାଳମାନେ ସ୍ଥିତି ସମୀକ୍ଷା କରି ଅପରାହ୍ନ ସୁଦ୍ଧା ରିପୋର୍ଟ ଦେବେ । ଏହା ପରେ ଆବଶ୍ୟକତା ଅନୁଯାୟୀ ସରକାର ସହାୟତା ଯୋଗାଇ ଦେବେ ।