FeaturedLatestNews

ବାତ୍ୟା ଦାୟିତ୍ବରେ ଅବହେଳା ଯୋଗୁଁ ୬ ସରକାରୀ କର୍ମଚାରୀ ସସପେଣ୍ଡ

ଭୁବନେଶ୍ବର (ସଂକେତ ଟିଭି): ବାତ୍ୟା ‘ଦାନା’ ମୁକାବିଲା ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ୫ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜଣେ ରାଜସ୍ବ ନିରୀକ୍ଷକ ଚାକିରିରୁ ନିଲମ୍ବିତ (ସସପେଣ୍ଡ) କରିଛନ୍ତି । ଏନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ସମସ୍ତ ନିଲମ୍ବିତ ଅଧିକାରୀ କେନ୍ଦ୍ରାପଡାରେ କାର୍ଯ୍ୟରତ ଅଛନ୍ତି । ସେମାନେ ହେଉଛନ୍ତି ଆଳି ପଞ୍ଚାୟତ ସମିତିର ପିଇଓ ସନ୍ଧ୍ୟା ପ୍ରଧାନ, ଗଦରପୁର ପଞ୍ଚାୟତ ସମିତିର ପିଇଓ ଜସ୍ମିନ ସୋରେନ, ପିଇଓ ସଞ୍ଜୟ ପ୍ରଧାନ, ରାଜନଗର ପଞ୍ଚାୟତ ସମିତିର ପିଇଓ ଅଶୋକ ପ୍ରଧାନ, ପିଇଓ ବିଜୟ କୁମାର ସେଠୀ ଓ ରାଜନଗର ତହସିଲର ଆରଆଇ ବିଜୟ କୁମାର ଜେନା । ଆଉ କିଛି ଅଧିକାରୀଙ୍କ ବିରୋଧରେ ମଧ୍ୟ ଆସିଛି କାର୍ଯ୍ୟରେ ଅବହେଳା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁମାନେ ଭଲ କାର୍ଯ୍ୟ କରିଛନ୍ତି ପୁରସ୍କୃତ ହେବେ ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ବାତ୍ୟା ସମୟରେ ଯେଉଁ କାର୍ଯ୍ୟ ଦିଆଯାଇଥିଲା ସେଥିରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଲୋକଙ୍କ ସହ ଖରାପ ବ୍ୟବହାର ନେଇ ଅଭିଯୋଗ ଆସିଛି । ଏନେଇ ଅନେକ ଅଭିଯୋଗ ହସ୍ତଗତ ହୋଇଛି । ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । କାର୍ଯ୍ୟରେ ଖିଲାପକାରୀଙ୍କୁ କ୍ଷମା ନାହିଁ ।