ରିଲିଫ୍ ସେଣ୍ଟରରେ ୭ ଦିନ ଯାଏଁ ରୋଷେଇ ଚାଲିବ: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ବାତ୍ୟାରେ ୧୪ ଜିଲ୍ଲା ପ୍ରଭାବିତ ହୋଇଛି । ୧୪ ଜିଲ୍ଲାର ୧୦୮ ବ୍ଲକ, ୧୬୭୧ ଗ୍ରାମ ପଂଚାୟତ, ୩୧ ସହରର ୪୨୬ ୱାର୍ଡ, ୩୫ ଲକ୍ଷ ୯୫ ହଜାର ୧୫ ଜଣ ଲୋକ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛନ୍ତି । ବାତ୍ୟା ପାଇଁ ୮ ଲକ୍ଷ ୧୦ ହଜାର ୮୯୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୬୨୧୦ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଥିଲା ବୋଲି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି, ରବିବାର ସକାଳ ୧୦ ସୁଦ୍ଧା ୧୧୭୮ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି । ଲୋକେ ଫେରିବା ଆରମ୍ଭ କଲେଣି । ରନ୍ଧା ଖାଦ୍ୟ ମାଧ୍ୟମରେ ୮ ଲକ୍ଷ ୧୦ ହଜାର ୮୯୬ ଲୋକ ଉପକୃତ ହୋଇଛନ୍ତି । ରିଲିଫ ସେଣ୍ଟରରେ ରୋଷେଇ ୭ ଦିନ ଯାଏଁ ଚାଲିବ । ଘର କାମ ନ ସରିବା ଯାଏଁ ଲୋକେ ରିଲିଫ ସେଣ୍ଟରରେ ଭୋଜନ କରିପାରିବେ । ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ପଲିଥିନ୍ ଦିଆଯାଇଛି । ରବିବାର ସକାଳ ଯାଏଁ ଜିରୋ କାଜୁଆଲଟି ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।
୬ ଲକ୍ଷ ୫୯ ହଜାର ୮୪୨ ପଶୁ ପ୍ରଭାବିତ ହୋଇଛନ୍ତି । ୭ ଲକ୍ଷ ୩୪ ହଜାର ୭୫୦ କୁକୁଡ଼ା ପ୍ରଭାବିତ ହୋଇଛନ୍ତି । ପଶୁଙ୍କୁ ସାପ କାମୁଡା ମାମଲା ଭଦ୍ରକରେ ୪ଟି, ଯାଜପୁରରେ ଗୋଟିଏ, କେନ୍ଦ୍ରାପଡ଼ାରେ ୭ ରହିଛି । ସେହିପରି ୨୮ ଜଣ ଲୋକଙ୍କୁ ସାପ କାମୁଡ଼ିଛି । ଏଥିରେ ଜଣେ ଡାକ୍ତର ବି ଅଛନ୍ତି । ହେଲେ ସମସ୍ତେ ସୁସ୍ଥ ଅଛନ୍ତି । ଚାଷ କ୍ଷତି ୧ ଲକ୍ଷ ୨୫ ହଜାର ୯୧.୭ ହେକ୍ଟର । ୫୮୩୯ ଘର ସମ୍ପୂର୍ଣ୍ଣ ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଖାଦ୍ୟରେ ୨୩୨୨.୨ କ୍ବିଣ୍ଟାଲ ଚୁଡ଼ା ଓ ୭୫୫ ପଲିଥିନ୍ ଦିଆଯାଇଛି । ମେଡିକାଲ ଟିମ୍ ୩୩୫, ବିଦ୍ୟୁତ ସରବରାହ କାମ ସରିଲାଣି ବୋଲି ମନ୍ତ୍ରୀ କହିଛନ୍ତି ।