ଆକାଶମାର୍ଗରୁ ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲ୍ଲାର ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏହାପରେ ସେ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହାସହ ସମସ୍ତ ଜିଲ୍ଲାପାଳଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ମିଳିବା ପରେ ତୁରନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଗତକାଲି ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ସମୀକ୍ଷା କରିଥିଲେ । ଦ୍ବିତୀୟ ଦିନରେ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ଏହା ପରେ ସେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ।
ସମୀକ୍ଷା ପରେ ସେ କହିଛନ୍ତି ଯେ ବର୍ତ୍ତମାନ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯାଉଛି। ବିଦ୍ୟୁତ ସେବାରୁ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳକୁ ଯଥାଶୀଘ୍ର ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଛି। ଏହା ସହିତ କ୍ଷୟକ୍ଷତିର ଆକଳନ ରିପୋର୍ଟ ଯଥାଶୀଘ୍ର ପ୍ରସ୍ତୁତ କରିବା ସହିତ କ୍ଷତିପୂରଣ ପ୍ରଦାନ କରିବାକୁ ପଦକ୍ଷେପ ନେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେ କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ୨୧ତାରିଖରୁ ସମୀକ୍ଷା ଆରମ୍ଭ କରାଯାଇଥିଲା। ପ୍ରଥମରୁ ଜିଲ୍ଲାପାଳମାନଙ୍କୁ ଯେଉଁ ସବୁ ନିର୍ଦ୍ଦେଶ ଏବଂ ଦାୟିତ୍ୱ ଦିଆଯାଇଥିଲା ସେମାନେ ଦିନରାତି ଏକ କରି ସେସବୁ କାର୍ଯ୍ୟକୁ ସୂଚାରୁରୂପେ ସମ୍ପନ୍ନ କରିଛନ୍ତି। ସେମାନଙ୍କ ଉଦ୍ୟମ ପାଇଁ ରାଜ୍ୟ ସରକାର ଜିରୋ କାଜୁଆଲଟି ଲକ୍ଷ୍ୟ ହାସଲ କରିଛନ୍ତି। ଆଜିର ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ସ୍ବତନ୍ତ୍ର ରିଲିଫ କମିସନର ଦେଓ ରଞ୍ଜନ କୁମାର ସିଂହ, ପୁଲିସ ଡିଜି ୱାଇ. ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।