ଅଧିକ ଲାଭର ଆଶା ଦେଇ ୬ କୋଟି ଠକି ନେଲେ ସାଇବର ଠକ, ୨୪ ଗିରଫ
କଟକ (ସଂକେତ ଟିଭି): ଅଧିକ ଲାଭର ଲୋଭ ଦେଖାଇ ଜଣେ ନିବେଶକଙ୍କ ଠାରୁ ୬ କୋଟି ୨୮ ଲକ୍ଷ ଟଙ୍କା ଠକି ଥିବା ସାଇବର ଠକ ଦଳକୁ କ୍ରାଇମବ୍ରାଞ୍ଚ ରାଜ୍ୟ ବାହାରୁ ଗିରଫ କରିଛି । ଏଥିରେ ସମ୍ପୃକ୍ତ ଥିବା ୧୭ ଜଣ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଗୁରୁବାର ସୁଦ୍ଧା ଆଉ ଗିରଫ ୭ ଜଣଙ୍କୁ ଓଡିଶା ଆଣାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବିନୟାତୋଷ ମିଶ୍ର କହିଛନ୍ତି ।
ସୂଚନା ଅନୁସାରେ, ଜେଏସପିଏଲ କର୍ମଚାରୀ କୁନ୍ତଳା ମଜୁମଦାର ଏହି ଠକେଇର ଶିକାର ହୋଇଛନ୍ତି । ତାଙ୍କ ଠାରୁ ୬ କୋଟି ୨୮ ଲକ୍ଷ ଟଙ୍କା ସାଇବର ଫ୍ରଡ଼ମାନେ ଠକି ନେଇଛନ୍ତି । କୁନ୍ତଳା ମଜୁମଦାର ଗତ ଜୁଲାଇ ମାସରେ କୋଟାକ ଇନଭେଷ୍ଟମେଣ୍ଟ କ୍ଲବ୍ ହ୍ଵାଟ୍ସଆପ୍ ଗ୍ରୁପରେ ଆଡ଼ ହୋଇଥିଲେ । ଗ୍ରୁପରେ ପୁଞ୍ଜି ନିବେଶ ପାଇଁ ଜାଣିବା ପରେ ୬ କୋଟି ୨୮ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ସେୟାରର ମୂଳ ମୂଲ୍ୟ ହଠାତ ୧୧୦ ଟଙ୍କାରେ ପହଞ୍ଚି ୨୫ କୋଟି ହୋଇଥିଲା । ସେଥିରୁ ୨୩ କୋଟି ଉଠାଇବାର ଅନୁମତି ମିଳିଥିଲା । ଅଗଷ୍ଟ ୨୧ରେ ଟଙ୍କା ଉଠାଇବାକୁ ଉଦ୍ୟମ କରିବା ପରେ ଗ୍ରୁପ ଆଡ଼ମିନ ତାଙ୍କୁ ଗ୍ରୁପରୁ ହଟାଇ ଦେଇଥିଲେ । କାରବାର ପାଇଁ ବ୍ୟବହୃତ ଆପ୍ ନିଷ୍କ୍ରିୟ ହୋଇ ଯାଇଥିଲା । ଏହାପରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ ।
କ୍ରାଇମବ୍ରାଞ୍ଚ ସାଇବର ୟୁନିଟ୍ ତଦନ୍ତ ପରେ ଜାଣିଥିଲେ ଯେ, ୧୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟରେ ୬ କୋଟି ୮ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି । ସମସ୍ତ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୬ ଲକ୍ଷ ୮୫ ହଜାର ଟଙ୍କା ଫ୍ରିଜ୍ ହୋଇଛି । ଅଭିଯୋଗକାରୀ ୬ ଲକ୍ଷ ୮୦ ହଜାର ଟଙ୍କା ଫେରସ୍ତ ପାଇଛନ୍ତି । ଏବେ ସୁଦ୍ଧା ତାମିଲନାଡୁରୁ ୯ ଜଣ, ଗୁଜରାଟରୁ ୮ ଜଣ ଓ ରାଜସ୍ଥାନରୁ ୭ ଜଣଙ୍କୁ ଗିରଫ କରାଯାଇଛି ।