FeaturedLatestNews

ରାଜ୍ୟରେ ପୁଣି ଖୋଲିବ ଡ୍ୟାନ୍ସବାର, ସରକାର ନେଲେ ନିଷ୍ପତ୍ତି

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ଅବକାରୀ ନୀତିରେ ବଡ ପରିବର୍ତ୍ତନ କରିଛନ୍ତି । ଏଣିକି ବାରଗାର୍ଲ୍ ଡାନ୍ସ ବାରରେ ନୃତ୍ୟ କରିପାରିବେନି । ଗ୍ରାହକ ଅର୍କେଷ୍ଟ୍ରା ପରିବେଷଣ ସହ ମ୍ୟୁଜିକାଲ ମାହୋଲରେ ମଜା ନେଇପାରିବେ । ନିଜେ ନାଚି ମଜା ନେଇପାରିବେ, କିନ୍ତୁ ବାରରେ କୌଣସି ବାର ଗାର୍ଲ୍ସ ନୃତ୍ୟ ପରିବେଷଣ କରିବେ ନାହିଁ । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ନୂଆ ତଥା କଡା ନିୟମ ଆସିଛି । ଯେଉଁଠି ବାରଗାର୍ଲ୍ସଙ୍କ ସଙ୍ଗୀତ ପରିବେଷଣକୁ ଅନୁମତି ଥିବା ବେଳେ ନୃତ୍ୟ ଓ ଉତ୍ତେଜକ ଅଙ୍ଗଭଙ୍ଗୀ ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

ସୂଚନା ଅନୁସାରେ, ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ‘ଓଡ଼ିଶା ଅବକାରୀ (ସଂଶୋଧନ) ରୁଲସ-୨୦୨୪’ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ କିଛି କଡ଼ା ନିୟମ ସହ ପୁଣିଥରେ ଡ୍ୟାନ୍ସବାର ଚାଲିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟର ବାରଗୁଡ଼ିକରେ ମହିଳାମାନେ ନୃତ୍ୟଗୀତ ପରିବେଷଣ କରିପାରିବେ। ଅବକାରୀ କମିଶନରଙ୍କ ଲିଖିତ ଅନୁମତି ଆଧାରରେ ଅନୁମତିପ୍ରାପ୍ତ ମଦ ବାରରେ ୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳାମାନେ ନାଚ ଗୀତରେ ସାମିଲ ହୋଇପାରିବେ । ଏହି ଡ୍ୟାନ୍ସବାରଗୁଡ଼ିକ ପରିଚାଳନା ପାଇଁ ଅବକାରୀ କମିଶନର ୨୧ଟି ସର୍ତ୍ତ ରଖିଛନ୍ତି ।

ଏନେଇ ଅବକରୀ କମିଶନର ନରସିଂହ ଭୋଳ ସୂଚନା ଦେଇଛନ୍ତି ଯେ, କଟକ ଓ ଭୁବନେଶ୍ବରରେ ଯେଉଁ ଡ୍ୟାନ୍ସ ବାର ଚାଲୁଥିଲା, ସେଥିପାଇଁ ପୂର୍ବରୁ ତିନୋଟି ମାପଦଣ୍ଡରେ ଅନୁମତି ଆବଶ୍ୟକ ହେଉଥିଲା । ଏବେ ନୂଆ ପଲିସିରେ ବାର ଗାର୍ଲ ଡ୍ୟାନ୍ସ‌କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କେବଳ ଅର୍କେଷ୍ଟ୍ରା ପ୍ରଦର୍ଶନ ଓ ମ୍ୟୁଜିକ୍‌ ପାଇଁ ଅନୁମତି ଦିଆଯିବ । ସେନେଇ ଅନେକଗୁଡ଼ିଏ ସର୍ତ୍ତ ରହିଛି । ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବାର ମାଲିକମାନେ ବାଧ୍ୟ । ଏହାର ଉଲ୍ଲଂଘନ ସ୍ଥଳେ ବାରର ଲାଇସେନ୍ସ ରଦ୍ଦ କରାଯିବା ନେଇ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶାବଳୀ ରହିଛି ।’’

ବାରରେ ସିସିଟିଭି ଲଗାଇବା ସହ ମ୍ୟୁଜିକ ପରିବେଷଣ ସମୟରେ ସିସିଟିଭି କାର୍ଯ୍ୟକ୍ଷମ ରହିବା ବାଧ୍ୟତାମୂଳକ କରାଯାଇଛି । କାର୍ଯ୍ୟକ୍ରମର ଫୁଟେଜ ପରବର୍ତ୍ତୀ ତିନି ମାସ ପର୍ଯନ୍ତ ଷ୍ଟୋରେଜ ହୋଇ ରହିବ । କୌଣସି କାରଣରୁ ସିସିଟିଭି ବନ୍ଦ ହେଲେ ବାର‌ ବନ୍ଦ ରହିବ । ବାରରେ ଅର୍କେଷ୍ଟ୍ରା ପ୍ରଦର୍ଶନ ସମୟରେ ଗ୍ରାହକ ଟଙ୍କା ଉଡାଇ ପାରିବେନାହିଁ କି ଗିଫ୍ଟ ଓ ଟିପ୍ସ ଆକାରରେ ମଧ୍ୟ ଟଙ୍କା ଦେଇପାରିବେ ନାହିଁ । ବରଂ ସେମାନେ ଚାହିଁଲେ, ଉକ୍ତ ଟଙ୍କାକୁ ଟିପ୍ସ ସଦୃଶ ବାର ମ୍ୟାନେଜରଙ୍କୁ ଦେଇପାରନ୍ତି । ବାରରେ ନିୟୋଜିତ କର୍ମଚାରୀ କୌଣସି ପ୍ରକାରର ଉତ୍ତେଜକ ପୋଷାକ ପିନ୍ଧି ପାରିବେନାହିଁ କି ଉତ୍ତେଜନା ସୃଷ୍ଟି କରିବା ପରି ଅଙ୍ଗଭଙ୍ଗୀ ପ୍ରଦର୍ଶନ ମଧ୍ୟ କରିପାରିବେ ନାହିଁ ।