ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ, ଜେଲ ଯିବେ ଗମାଙ୍ଗ
କଟକ (ସଂକେତ ଟିଭି): ରାୟଗଡ଼ା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ଜେଲ୍ ଯିବେ । ହାଇକୋର୍ଟ ବୁଧବାର ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି । ରାମମୂର୍ତ୍ତି ନିମ୍ନ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ । ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ ଟି ଦସ୍ତାବିଜ ଆଧାରରେ ପୂର୍ବତନ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ସୂଚନା ଅନୁସାରେ, ୧୯୯୫ ଅଗଷ୍ଟ ୨୯ ତାରିଖରେ ରାମମୂର୍ତ୍ତି ଗମାଙ୍ଗଙ୍କ ପତ୍ନୀ ଶଶୀରେଖାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗମାଙ୍ଗ ଖାରବେଳନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ଯେ ସେ ରହୁଥିବା ଏମ୍ଏଲ୍ଏ କଲୋନି କ୍ବାର୍ଟର୍ସ ନଂ-ଡିଏସ୍-୧୮/୧ର ବାଥରୁମ୍ରେ ତାଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଛି। ପତ୍ନୀ ଗର୍ଭବତୀ ଥିବାରୁ ସେ ତାଙ୍କୁ ମର୍ଣ୍ଣିଂଵାକ୍ରେ ଯିବା ପାଇଁ ପରାମର୍ଶ ଦେଉଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ହେଉଥିଲା। ଘଟଣା ଦିନ ସକାଳେ ସେମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଶଶିରେଖା ବାଥରୁମ୍ରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଚିତ୍କାର ଶୁଣି ସେ ଆସିବା ବେଳକୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ପାଇଥିଲେ।
ଖାରବେଳନଗର ସ୍ଥିତ ଏମ୍ଏଲ୍ଏ କଲୋନୀରେ ଥିବା ସରକାରୀ ଘରୁ ଶଶୀରେଖାଙ୍କ ପୋଡ଼ା ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣା ଦିନ ୧୦ଟା ୪୫ ମିନିଟ୍ରେ ରାମମୂର୍ତ୍ତି ପୋଲିସକୁ ଖବର ଦେଇଥିଲେ ଯେ, ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ତେବେ ଘଟଣାର ତଦନ୍ତ ବେଳେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟା ବୋଲି ପୋଲିସ ଜାଣିବା ସହ ଗମାଙ୍ଗଙ୍କର ଏହି ଘଟଣାରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା। ସେହି ଆଧାରରେ ପୋଲିସ ଏହି ଘଟଣାରେ ପ୍ରଥମେ ଅପମୃତ୍ୟୁ ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା।