ଫୁଟପାଥରୁ ଦୀପ ସହ ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣାକିଣି କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀ ୧ ନମ୍ବର ହାଟକୁ ଦିପାବଳୀ ପାଇଁ ଯାଇ ଫୁଟପାଥ୍ରୁ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ। ପତ୍ନୀଙ୍କ ସହ ଦୀପ କିଣିବା ସହ ବିଭିନ୍ନ ଦୀପ ଦୋକାନ ମଧ୍ୟ ବୁଲିଥିଲେ ।
ସୂଚନା ଅନୁସାରେ, ଦୀପାବଳି ପାଳନ ଲାଗି ନିଜ ଗାଁ ରାଇକଳାକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀ ୧ ନମ୍ବର ହାଟକୁ ଯାଇ କିଣାକିଣି କରିଥିଲେ । ମୁଖ୍ୟମନ୍ତ୍ରୀ ସପତ୍ନୀକ ୧ ନମ୍ବର ହାଟକୁ ଯାଇ ଫୁଟପାଥ୍ ଉଠା ଦୋକାନୀଙ୍କ ଠୁ ପୂଜା ସାମଗ୍ରୀ କିଣାକିଣି କରିଥିଲେ । ମୁଖ୍ୟମନ୍ତ୍ରୀ ଆଖୁ, ବାଳୁଙ୍ଗା, ଶୁଆଁ ନଟି, ଦୀପ, ଜଡ଼ାତେଲ, ନଡ଼ିଆ, ରଙ୍ଗୋଲି କିଣିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ପୂର୍ବରୁ ୧ ନମ୍ବର ମାର୍କେଟ ରାସ୍ତା କଡ଼ରୁ ଦୀପାବଳି ପାଇଁ ଆବଶ୍ୟକ ସମାଗ୍ରୀ କିଣୁଥିଲି, ଆଜି ମଧ୍ୟ କିଣିଲି। ଏହାଦ୍ବାରା ଆମ ଓଡ଼ିଶାର ଗରିବ ବେପାରି ବେଶ୍ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତା ଆଉ ପରମ୍ପରା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ୟୁନିଟ୍ ୧ ମାର୍କେଟରେ ଦେଖି ବ୍ୟବସାୟୀମାନେ ଖୁସି ବ୍ୟକ୍ତ କରିଥିଲେ । ସେ ବିଭିନ୍ନ ବ୍ୟବସାୟୀଙ୍କ ସହ ବି କଥାବାର୍ତ୍ତା କରିଥିଲେ । ଦୋକାନୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ କେବେ ଆଗରୁ ଦେଖି ନଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସେମାନଙ୍କ ବ୍ୟବସାୟ ସମ୍ପର୍କରେ ପଚାରିବା ସହ ଦୋକାନ ସମ୍ମୁଖ ସଫା ସୁତୁରା ରଖିବାକୁ ପରାମର୍ଶ ଦେଇଥିଲେ ।