କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋର ମିଳିତ ସହଯୋଗରେ କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ହେବ। କେନ୍ଦୁଝର ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି କିଛି ମାସ ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶାର ରୋଡ୍ ସୋ’ର ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ମୁଁ ଯୋଗ ଦେଇଥିଲି। ସେହି ସମୟରେ ଉଭୟ ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋ ସହିତ ଆଲୋଚନା କରିଥିଲି। ଏବେ ଏହି ୨ କଂପାନି ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ସେମାନେ କେନ୍ଦୁଝରରେ ଷ୍ଟିଲ କାରାଖାନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଠାରୁ ଦୁଇ ଦିନିଆ ଗସ୍ତରେ କେନ୍ଦୁଝର ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ଗୁରୁବାର ନିଜ ଗାଁ ରାଇକଳାରେ କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳନ କରିଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀ ପୂଜା ଓ ଦୀପାବଳି ଉତ୍ସବ ଏବଂ ଏହାକୁ ସେ ନିଜ ଗାଁରେ ପାଳନ କରିଥିଲେ।