ଡିସେମ୍ବର ଶେଷ ସୁଦ୍ଧା କୋଟିଏ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା : ପ୍ରଭାତୀ ପରିଡା
ଭୁବନେଶ୍ଵର (ସଂକେତ ଟିଭି): ଡିସେମ୍ବର ଶେଷ ସୁଦ୍ଧା କୋଟିଏରୁ ଉର୍ଦ୍ଧ୍ବ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା କହିଛନ୍ତି । ସେ କହିଛନ୍ତି ଯେ ନଭେମ୍ବର ଶେଷ ସପ୍ତାହରେ ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବାକୁ ଥିବା ବେଳେ ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ।
ଖାରଜ ହୋଇଥିବା ଆବେଦନର ରି-ଚେକ୍ ପାଇଁ ବିଡ଼ିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି। ଆବେଦନ ଖାରଜ ହୋଇଥିବା ହିତାଧିକାରୀଙ୍କୁ ଅଙ୍ଗନବାଡ଼ି ଦିଦିଙ୍କ ମାଧ୍ୟମରେ ନୋଟିସ୍ ହେବ।
ଜମି ଆଧାରରେ ଯେଉଁ ମାନଙ୍କର ଆବେଦନ ଖାରଜ ହୋଇଛି ତହସିଲଦାର ଓ ଆରଆଇଙ୍କ ଦ୍ଵାରା ଆଉ ଥରେ ଯାଞ୍ଚ କରାଯିବ। ଖାରଜ ହୋଇଥିବା ୨ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ଜମି ଆଧାରରେ ଖାରଜ ହୋଇଥିବା ହିତାଧିକାରୀଙ୍କ ସଂଖ୍ୟା ଅଧିକ । ସେହିପରି ବ୍ୟାଙ୍କ ଲିଙ୍କ୍ ହୋଇନଥିବାରୁ କଟିଥିଲେ ସେମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟାଙ୍କ ସ୍ପଷ୍ଟୀକରଣ ଦାଖଲ କରିପାରିବେ। ଅଙ୍ଗନବାଡି କର୍ମୀ ଏବଂ ଏମବିକେ ମାନଙ୍କ ଆବେଦନ ସରକାରୀ ଚାକିରିଆ ଭାବେ କଟାଯାଇଛି। ସେଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଇ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି।