FeaturedLatestNewsPolitics

ସରକାରକୁ ଆସିବାକୁ ବିଜେଡିକୁ ୫ବର୍ଷ ଲାଗିନପାରେ : ମୁନ୍ନା ଖାଁ 

ଭୁବନେଶ୍ବର (ସଂକେତ ଟିଭି): ବିଜେଡ଼ି ସରକାରକୁ ଆସିବାକୁ ଆମକୁ ୫ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡିନପାରେ । ବିଜେପି ଭାଜପା ପାଖରେ ପ୍ରାର୍ଥୀ ନ ଥିଲେ। ଆମର ଅଧିକାଂଶ ଲୋକ ସେଠି ଅଛନ୍ତି । ସମୟକୁ ଅପେକ୍ଷା କରନ୍ତୁ । ୟା ଠୁ ବେଶୀ ଆଉ କିଛି କହିପାରିବି ନାହିଁ । ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଏହି ଭଳି ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେ ମୁଁ ସଭାରେ କହିଛି ବିଜେପି ବିଧାୟକ ବିଜେଡ଼ି ଲିଙ୍କ୍‌ରେ ଅଛନ୍ତି । ମିଡିଆ ସାମ୍ନାରେ କିଛି କହିନାହିଁ । ଯାହା କହିଛି କର୍ମୀଙ୍କୁ କହିଛି । ଏହା ଆମର ରଣନୀତି । ମୁଁ ଏହାକୁ ମିଡିଆ ସାମ୍ନାରେ କହିପାରିବିନି । ସମୟକୁ ଅପେକ୍ଷା କରନ୍ତୁ ।

ସରକାରକୁ ନେଇ ସବୁଠି ଅସନ୍ତୋଷ । ଜୟନାରାୟଣ ମିଶ୍ର ମୋ ବଡ ଭାଇ । ସାନ ଭାଇ ହିସାବରେ ତାଙ୍କୁ ପରାମର୍ଶ । ଦଳ ତାଙ୍କ ବିଷୟରେ ଚିନ୍ତା କରିନାହିଁ । ସେ କାଇଁ ଦଳ ବିଷୟରେ ଚିନ୍ତା କରୁଛନ୍ତି । ଜୟନାରାୟଣ ମିଶ୍ର କେଉଁଠି ରହିବା କଥା କେଉଁଠି ଅଛନ୍ତି । ଦଳ ବିଷୟରେ ଚିନ୍ତା କରି ନିଜ ବିପି ବଢାନ୍ତୁନି ବୋଲି ସାଂସଦ କହିଛନ୍ତି ।

ତେବେ ବିଜେପି ନେତା ନେତା ଜୟନାରାୟଣ ମିଶ୍ର କହିଛନ୍ତି, ମୁନ୍ନା ଖାଁ ଦିନରେ ସ୍ବପ୍ନ ଦେଖୁଛନ୍ତି, ସେ ଚେଇଁକି ସ୍ବପ୍ନ ଦେଖୁଛନ୍ତି। ଖୁବ୍‌ଶୀଘ୍ର କ’ଣ ଆଗାମୀ ଦଶନ୍ଧି ଯାଏ ବି ବିଜେଡି କ୍ଷମତାକୁ ଆସିପାରିବ ନାହିଁ। ଦୁଇ ନେତାଙ୍କ ଏପରି କଥାରେ କଥାରେ ଆକ୍ରମଣ ପ୍ରତି ଆକ୍ରମଣ ରାଜନୈତିକ ମହଲରେ ହଲଚଲ୍‌ ସୃଷ୍ଟି କରିଛି।

ପୂର୍ବରୁ ମୁନ୍ନା ଖାଁ ବିଜେଡିର ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଥିବା ଜନସଂପର୍କ ପଦଯାତ୍ରାରେ ବିସ୍ଫୋରକ ବୟାନ ଦେଇଥିଲେ । ବିଜେଡି ଛାଡି ବିଜେପିରେ ଯୋଗଦେଇ ବିଜେପି ଟିକେଟ୍‌ରେ ବିଜୟୀ ହୋଇଥିବା ୧୪ ବିଧାୟକ ବିଜେଡି ସମ୍ପର୍କରେ ଅଛନ୍ତି ବୋଲି ସେ କହିଥିଲେ । ଯାହା ବର୍ତ୍ତମାନ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବୋଲି କର୍ମୀଙ୍କୁ ଉଦବୋଧନ ଦେବାବେଳେ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଯାଇ ମୁନ୍ନା କହିଥିଲେ, ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ନେତା ବିଜେପିରେ ଯୋଗ ଦେଇଥିଲେ । ବିଜେପି ଟିକେଟ୍ ପାଇ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି, ଯାହା ବିଜେଡି କ୍ଷମତାକୁ ଫେରିବାକୁ ରାସ୍ତା ଖୋଲୁଛି । ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି । ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ୍ ମିଳିବା ନିଶ୍ଚିତ । କାରଣ ଏବେ ମଧ୍ୟ ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ରହିଛି ।