ତିନିଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ଉତ୍କର୍ଷ ଓଡ଼ିଶା-ମେକ୍ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରିବେ। ଏହି ଗସ୍ତକାଳରେ ସେ ଓଡ଼ିଶାରେ ବ୍ୟବସାୟିକ ସଂପ୍ରସାରଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିବେ। ସେ ଆସନ୍ତା ୧୮ ତାରିଖ ଦିନ ସିଙ୍ଗାପୁର ଗସ୍ତ କରିବେ । ସେ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ରହିବେ।
ମୁଖ୍ୟମନ୍ତ୍ରୀ ଏହି ଗସ୍ତକାଳରେ ସେ ରୋଡ ସୋ’ କରିବେ। ଏଥି ସହିତ ନିବେଶକମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହି ଗସ୍ତ କାଳରେ ତାଙ୍କ ସହିତ ଶିଳ୍ପମନ୍ତ୍ର ସଂପଦ ସ୍ବାଇଁ ଓ ରାଜ୍ୟ ସରକାରଙ୍କର କିଛି ବରିଷ୍ଠ ଅଧିକାରୀ ରହିବେ। ତେବେ ଏହି ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଦିଲ୍ଲୀ ଗସ୍ତ କରିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ଆସନ୍ତା ଜାନୁଆରି ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ଆୟୋଜନ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତମାସ ନୂଆଦିଲ୍ଲୀ ଓ ମୁମ୍ବାଇରେ ରୋଡ୍ ସୋ’ ଆୟୋଜନ କରାଯାଇଛି। ଏହି ଦୁଇ ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ଅନେକ ବିଶିଷ୍ଟ ଶିଳ୍ପପତିଙ୍କୁ ଭେଟିଛନ୍ତି।