FeaturedLatestNews

ନଭେମ୍ବର ୨୧ରୁ ଆରମ୍ଭ ହେବ ଧାନ କିଣା

ଭୁବନେଶ୍ୱର (ସଂକେତ ଟିଭି): ନଭେମ୍ବର ୨୧ ତାରିଖରୁ ଚଳିତ ଖରିଫ ଋତୁ ପାଇଁ ଧାନ କିଣା ଆରମ୍ଭ ହେବ। ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବରଗଡ଼ ଜିଲାରୁ ଧାନ କିଣା ଆରମ୍ଭ ନେଇ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ୮୦ ଲକ୍ଷ ଟନ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି।

ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣିବେ।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନ୍‌ପୁଟ ସହାୟତା ୮୦୦ ଟଙ୍କା ମିଶାଇ ଚଳିତ ବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ୪-୫ଟି ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ ବୋଲି ସୂଚନା ମିଳିଛି। ମଣ୍ଡିରେ ରହିବ କ୍ୱାଲିଟି ଟେଷ୍ଟିଂ ମେସିନ। ଅଗାଡି ଏଫକ୍ୟୁ ଧାନକୁ ଯାଞ୍ଚ କରାଯିବ। ମଣ୍ଡିରୁ ରାଇସ ମିଲ ଯାଏ ଧାନ ଗାଡ଼ିର ଗତିବିଧି ନଜରରେ ରହିବ। ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍ ୨୧ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ ।

ସେପଟେ ପଡୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରେ ତା ପ୍ରତି ପାଟ୍ରୋଲିଂ ଟିମ୍ ମୁତୟନ ସହ ସିସିଟିଭି ବ୍ୟବସ୍ଥା କରାଯିବ। ଚାଷୀଙ୍କ ଧାନ ବିକ୍ରି ଟୋକନ୍ ଲାପସ ନହେବା ପାଇଁ ବ୍ୟବସ୍ଥା କରାଯାଇଛି । ତ୍ୱରିତ ନିଷ୍ପତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କ ସୁରକ୍ଷା, କଟଣିଛଟନୀ ମୁକ୍ତ ଧାନ କିଣା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବେ ।