ଝାଡ଼ଖଣ୍ଡ-ମହାରାଷ୍ଟ୍ର ନିର୍ବାଚନ ପରେ ଘୋଷଣ ହେବ ନୂଆ ପିସିସି ସଭାପତି
ଭୁବନେଶ୍ବର (ସଂକେତ ଟିଭି): ଝାଡଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟ କଂଗ୍ରେସର ନୂଆ ପିସିସି ସଭାପତିଙ୍କ ନାମ ଘୋଷଣା ହେବ । ରାଜ୍ୟ କଂଗ୍ରେସ ଭବନରେ ବସିଥିବା ଏନେଇ ପ୍ରଥମ ପର୍ଯ୍ଯାୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା 23 ପରେ ନୂତନ ସଭାପତିଙ୍କ ନାମ ଘୋଷଣା ହେବ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଗତକାଲି ରାଜ୍ୟ କଂଗ୍ରେସ ଭବନରେ ପ୍ରଥମ ପର୍ଯ୍ୟାୟ ବୈଠକ ବସିଥିଲା । ସବୁ ବିଧାୟକ ଏଵଂ ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ମାରଥନ ବୈଠକ ବସିଥିଲା । ପିସିସି ସଭାପତି ନିର୍ବାଚନ ନେଇ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଛତିଶଗଡ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଏବଂ ମୀନାକ୍ଷୀ ନଟରାଜନ ଏହି ବୈଠକରେ ଉପସ୍ଥିତ ଥିଲେ।
ଚରଣ ଦାସ ମହନ୍ତ କହିଛନ୍ତି ଯେ ”ହାଇକମାଣ୍ଡଙ୍କ ନିଷ୍ପତିକୁ ସମସ୍ତେ ସମର୍ଥନ ଜଣାଇବେ । ତୃଣମୂଳ ସ୍ତରରେ ଯିଏ କଂଗ୍ରେସକୁ ଅଧିକ ସୁଦୃଢ ଏବଂ ମଜଭୁତ କରିପାରିବ ସେଭଳି ନେତାଙ୍କୁ ଚୟନ କରାଯିବ । ଆଗାମୀ ପଞ୍ଚାୟତ ଓ ମହାନଗର ନିର୍ବାଚନରେ ଦଳକୁ ଯିଏ ଜିତେଇବାରେ ସମର୍ଥ ହେବ, ସେହିଭଳି ନେତାଙ୍କୁ ଚୟନ କରାଯିବ”।
ଏହି ବୈଠକ ପରେ ଷ୍ଟିଅରିଂ କମିଟି ଅଧ୍ୟକ୍ଷ ମହମ୍ମଦ ମୋକିମ କହିଛନ୍ତି, ”ମୁଁ କଂଗ୍ରେସର କାମ କରୁଛି କରୁଥିବି, ହାଇ କମାଣ୍ଡ ଯେଉଁ ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରିବି । ଯିଏ ସରକାରଙ୍କ ସହ ଲଢି ପାରିବ, କୌଣସି କଥାରେ ଯିଏ ସାଲିସ କରିବ ନାହିଁ, ସାଢେ ଚାରି କୋଟି ଓଡ଼ିଆଙ୍କ ସମସ୍ୟାକୁ ଯିଏ ଉପସ୍ଥାପିତ କରିପାରିବ ସେପରି ବ୍ୟକ୍ତି ଆମର ଆବଶ୍ୟକ ଅଛି । ସେପରି ବ୍ୟକ୍ତି ପାଇଁ ମଧ୍ୟ ସୁପାରିସ କରିଛି । ”
ବିଧାୟକ ତାରା ବାହିନୀପତି କହିଛନ୍ତି, ”ମୋତେ ପଚାରିଥିଲେ ପିସିସି ସଭପତି ପାଇଁ କିନ୍ତୁ ମୁଁ କହିଲି ହେଲେ ଭଲ ନହେଲେ ବି ଭଲ । ରାହୁଲ, ସୋନିଆ, ଏବଂ ଖଡଗେ ଯାହା ଉପରେ ମୋହର ମାରିବେ ଆମର ସବୁ ନେତା ସେଥିରେ ସହମତି ପ୍ରଦାନ କରିବୁ । ଏକ ରିଜୋଲୁସନ ପାସ ହେଇଛି । କଂଗ୍ରେସରେ ଦକ୍ଷତା କାମ ଦେବ, ଲବି ଆଉ କାମ ଦେବନି । ସବୁ ଦଳରେ ଗୋଷ୍ଠୀ କନ୍ଦଳ ହୁଏ, କଂଗ୍ରେସରେ ବି ସେମିତି ହୁଏ । ସ୍ୱଚ୍ଛ, ନିର୍ମଳ, ଦୁର୍ନୀତି ମୁକ୍ତ ନେତାକୁ କରିବା ଉଚିତ । ମତେ ଏକୁଟିଆ ଡାକି କି ପଚାରିଥିଲେ । ”