ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ, ହାରିଲେ କମଲା ହାରିସ
ୱାଶିଂଟନ (ସଂକେତ ଟିଭି): ଆମେରିକାରେ ପୁଣି ଆରମ୍ଭ ହୋଇଛି ଟ୍ରମ୍ପ ଶାସନ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପ୍ଲବିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଛନ୍ତି। ସେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଲା ହାରିସଙ୍କୁ ମାତ୍ ଦେଇ ବିଜୟୀ ହୋଇଛନ୍ତି। ଏହା ସହିତ ଡୋନାଲ୍ଡ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି।
ବିଜୟୀ ହେବା ପରେ ଜନତାଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ଏହା ଐତିହାସିକ ବିଜୟ । ଏହାର ଶ୍ରେୟ ଆମେରିକାବାସୀଙ୍କୁ ଯାଉଛି। ଭୋଟରଙ୍କୁ ଧନ୍ୟବାଦ ଜଣାଇବା ସହ ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ମୋର ସବୁ୍ କିଛି ଆମେରିକାବସୀଙ୍କ ନିକଟରେ ସମର୍ପିତ । ଆମେରିକାର ଭବିଷ୍ୟତ ପାଇଁ କାମ କରିବି । ମହାନ ରାଷ୍ଟ୍ରରେ ପରିଣତ କରିବା ପାଇଁ ମୋର ଲକ୍ଷ୍ୟ ରହିଛି।
ଏଥି ସହିତ ଟ୍ରମ୍ପ କହିଛନ୍ତି ଏହା ହେଉଛି ଇତିହାସର ସବୁଠାରୁ ବଡ଼ ରାଜନୈତିକ ମୁହୂର୍ତ୍ତ। ଆମେ ଭୋଟରଙ୍କ ପାଇଁ ସବୁକିଛି ଠିକ୍ କରିବାକୁ ଯାଉଛୁ। ଏହା ଏକ ରାଜନୈତିକ ବିଜୟ। ଏଭଳି ବିଜୟ ଆମେରିକା କେବେ ଦେଖି ନାହିଁ। ୪୭ ତମ ରାଷ୍ଟ୍ରପତି ଭାବରେ ମୁଁ ପ୍ରତିଦିନ ଆପଣଙ୍କ ପାଇଁ ଲଢ଼ିବି। ଆମେରିକା ପାଇଁ ଏହା ଏକ ବଡ଼ ବିଜୟ, ଯାହା ଆମେରିକାକୁ ପୁଣି ମହାନ କରିବ।’
ସୂଚନାଯୋଗ୍ୟ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଉଭୟ ପ୍ରାର୍ଥୀ ଇତିହାସ ରଚିବା ଲକ୍ଷ୍ୟରେ ରହିଥିଲେ। ମ୍ୟାଜିକ୍ ନମ୍ବର ୨୭୦ ଥିବା ବେଳେ ଇଲେକ୍ଟୋରାଲ ଭୋଟ୍ ଗଣନା ଟ୍ରେଣ୍ଡରେ କମଲା ହାରିସ ୨୧୪ଟି ଆସନରେ ଅଟକି ଯାଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ୨୬୭ଟି ଆସନରେ ବାଜି ମାରିଛନ୍ତି।
ଆସନ୍ତାମାସ (ଡିସେମ୍ବର) ମାସ ଦ୍ବିତୀୟ ବୁଧବାର ପରେ ପଡୁଥିବା ପ୍ରଥମ ସୋମବାର ଦିନ ବିଜେତା ନିର୍ବାଚନ ପ୍ରତିନିଧିମାନେ ସେମାନଙ୍କ ପ୍ରାଦେଶିକ ବ୍ୟବସ୍ଥାପିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମତଦାନ କରିବେ । ଏହା ପରେ ସମସ୍ତ ବ୍ୟବସ୍ଥାପିକାରେ ମତଗଣନା କରାଯାଇ ଫଳାଫଳ ସଂସଦ ବା ଜାତୀୟ ବ୍ୟବସ୍ଥାପିକାରେ ଦାଖଲ କରାଯିବ । ଜାନୁଆରୀ ୬ ତାରିଖରେ ସଂସଦର ଉଚ୍ଚ ସଦନର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଜେତା ଇଲେକ୍ଟରଙ୍କର ଏକ ମିଳିତ ଅଧିବେଶନ ଆହୁତ କରାଯାଇ ସମସ୍ତ ଭୋଟ ଗଣତି ହେବାର ବିଧି ରହିଛି । ଉକ୍ତ ଅଧିବେଶନରେ ଟ୍ରମ୍ପଙ୍କ ନାମରେ ବିଧିବଦ୍ଧ ମୋହର ବାଜିବ ।
ଆମେରିକାରେ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ବିଧି ମଧ୍ୟ ପୂର୍ବ ନିର୍ଦ୍ଧାରିତ ହୋଇଥାଏ । ଜାନୁଆରୀ ୨୦ ତାରିଖରେ ପୂର୍ବ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଟ୍ରମ୍ପ ଶପଥ ନେବେ । ସଂସଦରେ ଆୟୋଜିତ ଶପଥ ବିଧି କାର୍ଯ୍ୟକ୍ରମରେ ସେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହାସହ ଟ୍ରମ୍ପ ଦ୍ବିତୀୟ ପାଳିରେ ଆସନ୍ତା୪ବର୍ଷ ପର୍ଯ୍ୟନ୍ତ ଆମେରିକୀୟ ବ୍ୟବସ୍ଥାର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରନ୍ତି ।