ମିଶିଯିବ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଓ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
ନୂଆଦିଲ୍ଲୀ (ସଂକେତ ଟିଭି): ଦେଶର ୧୫ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ କରାଯିବ। ଏହି ତାଲିକାରେ ଓଡ଼ିଶାରୁ ଦୁଇଟି ବ୍ୟାଙ୍କ ରହିଛି। ଏଥିରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସଂଖ୍ୟା ୪୩ରୁ ରୁ ୨୮କୁ ହ୍ରାସ କରାଯିବ। ଏହି ମିଶ୍ରଣ ପ୍ରକ୍ରିୟାରେ କେନ୍ଦ୍ର ସରକାର ‘ଏକ ରାଜ୍ୟ ଏକ ଆର୍ଆର୍ବି’ ଯୋଜନା ରଖିଛନ୍ତି। ଯଦି ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହୁଏ ତାହେଲେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ। ଓଡ଼ିଶାରେ ବର୍ତ୍ତମାନ ଦୁଇଟି ଆଞ୍ଚଳିକ ଗ୍ରାମ୍ୟ ରହିଛି। ସେଗୁଡ଼ିକ ହେଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କ(ୟୁଜିବି)। ନୂଆ ଯୋଜନାରେ ଦୁଇଟି ବ୍ୟାଙ୍କକୁ ମିଶାଇ ଦିଆଯିବ।
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ୨୦୧୩ ଜାନୁଆରି ୭ରେ ଆରମ୍ଭ ହୋଇଥିଲା। ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଏବଂ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ କରାଯାଇ ଏହି ବ୍ୟାଙ୍କ ଆରମ୍ଭ କରାଯାଇଛି। ରାଜ୍ୟର ୧୩ଟି ଜିଲ୍ଲାରେ ଏହି ବ୍ୟାଙ୍କ ସେବା ଯୋଗାଇ ଦେଉଛି। ସେହିଭଳି କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ୨୦୧୨ ମସିହା ନଭେମ୍ବର ୧ ତାରିଖର ବିଜ୍ଞପ୍ତି ଅନୁଯାୟୀ, ଋଷିକୁଲ୍ୟ ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ କରାଯାଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ସ୍ଥାପନ କରାଯାଇଥିଲା। ରାଜ୍ୟର ୧୭ଟି ଜିଲ୍ଲାରେ ଏହି ବ୍ୟାଙ୍କ ଏବେ ସେବା ଯୋଗାଉଛି।
ସୂଚନା ଅନୁସାରେ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଇତିମଧ୍ୟରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି)ର ମିଶ୍ରଣର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ କରିଛି। ଅର୍ଥ ମନ୍ତ୍ରଣାଳୟ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟ ଅନୁଯାୟୀ ବିଭିନ୍ନ ରାଜ୍ୟର ୧୫ ଟି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମିଶ୍ରଣ କରାଯିବ। ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ସହ ବିଚାରବିମର୍ଶ ପରେ କେନ୍ଦ୍ର ସରକାର ‘ଗୋଟିଏ ରାଜ୍ୟ-ଗୋଟିଏ ଆର୍ଆର୍ବି’ ପାଇଁ ଏକ ନକ୍ସା ପ୍ରସ୍ତୁତ କରିଛନ୍ତି ।
କେନ୍ଦ୍ର ଅର୍ଥ ସେବା ବିଭାଗ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟମାନଙ୍କୁ ପଠାଇଥିବା ଚିଠିରେ କହିଛନ୍ତି ଯେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ଗ୍ରାମାଞ୍ଚଳର ସମ୍ପ୍ରସାରଣ ଏବଂ କୃଷି-ଜଳବାୟୁ କିମ୍ବା ଭୌଗୋଳିକ ପ୍ରକୃତି ଏବଂ ଆଞ୍ଚଳିକ ଗ୍ରାମ୍ୟର ବିଶେଷ ବୈଶିଷ୍ଟ୍ୟକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକ ଯଥା ସମ୍ପ୍ରଦାୟଗୁଡିକ ସହିତ ସେମାନଙ୍କର ସମ୍ପର୍କ ଏକ ରାଜ୍ୟ-ଏକ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ଲକ୍ଷ୍ୟ ହାସଲ କରିବା ପାଇଁ ଉର୍ଦ୍ଧିଷ୍ଟ। ବିବୃତ୍ତିରେ କୁହାଯାଇଛି ଯେ ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ସହିତ ପରାମର୍ଶ କରି ଏହି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି, ଯେଉଁଥିପାଇଁ ଆରଆରବି ସଂଖ୍ୟା ୪୩ରୁ ୨୮ କୁ ହ୍ରାସ କରାଯିବ। ଆର୍ଥିକ ସେବା ବିଭାଗ ନଭେମ୍ବର ୨୦ ପର୍ଯ୍ୟନ୍ତ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକର ପ୍ରାୟୋଜକ ବ୍ୟାଙ୍କର ମୁଖ୍ୟଙ୍କଠାରୁ ଏ ନେଇ ମତାମତ ଲୋଡିଛି। ୨୦୦୪-୦୫ ରେ କେନ୍ଦ୍ର ଆର୍ଆର୍ବିଗୁଡ଼ିକର ଗଠନମୂଳକ ଏକୀକରଣ ଆରମ୍ଭ କରିଥିଲା। ଫଳସ୍ୱରୂପ ମିଶ୍ରଣର ତିନୋଟି ପର୍ଯ୍ୟାୟରେ ୨୦୨୦-୨୧ ସୁଦ୍ଧା ଆର୍ଆର୍ବି ସଂଖ୍ୟା ୧୯୬ରୁ ୪୩କୁ ହ୍ରାସ କରାଯାଇଥିଲା।