୨୫ ନଭେମ୍ବରରୁ ଆରମ୍ଭ ହେବ ଲୋକସଭାର ଶୀତ ଅଧିବେଶନ
ନୂଆଦିଲ୍ଲୀ (ସଂକେତ ଟିଭି): ୨୫ ନଭେମ୍ବରରୁ ୧୮ତମ ଲୋକସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏହା ୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି।
ସେ ଲେଖିଛନ୍ତି ଯେ ୧୮ତମ ଲୋକସଭାର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ସମ୍ବିଧାନ ଦିବସ ଅବସରରେ ୨୬ ନଭେମ୍ବରରେ ମିଳିତ ଅଧିବେଶନ ହେବ। ଏହି ଅଧିବେଶନ ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ। ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବ।
ପାରମ୍ପରିକ ଢଙ୍ଗରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ସହିତ ଅଧିବେଶନ ଆରମ୍ଭ ହେବ। ଶୀତ ଅଧିବେଶନରେ ସଂସଦର ଉଭୟ ଗୃହରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହୋଇପାରେ । ସୂତ୍ର ଅନୁସାରେ ସରକାର ‘ଏକ ଦେଶ ଏକ ନିର୍ବାଚନ’ ଉପରେ ଚର୍ଚ୍ଚା କରିପାରନ୍ତି । ଗୃହ କାର୍ଯ୍ୟ ଯେପରି ସୁଚାରୁ ରୂପେ ଚାଲିବ ସେଥିପାଇଁ ଅଧିବେଶନ ଆରମ୍ଭ ପୂର୍ବରୁ ସରକାର ଏବଂ ଲୋକସଭା ବାଚସ୍ପତି ସର୍ବଦଳୀୟ ବୈଠକ କରିପାରନ୍ତି । ବିରୋଧୀଙ୍କ ଆକ୍ରାମକ ଅଭିମୁଖ୍ୟ ଦେଖି ଆଗାମୀ ଶୀତ ଅଧିବେଶନରେ ଜୋରଦାର ହଙ୍ଗାମା ହୋଇପାରେ ।