ଗୃହ ନିର୍ମାଣ ଓ ନୂଆ ଜମି କିଣିବା ପାଇଁ ହାଇସ୍କୁଲ ଶିକ୍ଷକଙ୍କୁ ମିଳିବ ଅଗ୍ରୀମ ଟଙ୍କା
ଭୁବନେଶ୍ଵର (ସଂକେତ ଟିଭି): ଗୃହ ନିର୍ମାଣ ପାଇଁ ତଥା ନୂଆ ଜମି କିଣିବା ଲାଗି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ମିଳିବ । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି କରାଯାଇଛି। ସେହିପରି ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ମଧ୍ୟ ଅଗ୍ରୀମ ଅର୍ଥ ମିଳିବ। ଏସବୁ ପାଇଁ ଆବେଦନକାରୀମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି।
ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଆବେଦନକାରୀମାନେ ଜମିର ତଥ୍ୟ ପ୍ରଦାନ କରିବେ। ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ଦାଖଲ କରିବେ। ସେହିପରି ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ପାଇଁ କୋଠାବାଡ଼ି ନିର୍ମାଣ ବିଭାଗ କିମ୍ବା ବିଡିଏ, ହାଉସିଂ ବୋର୍ଡର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ଦ୍ଵାରା ଆକଳନ ତଥ୍ୟ ଦାଖଲ କରିବେ। ଏଥିସହ ହାଉସ ପ୍ଲାନ୍ ଦାଖଲ କରିବେ।