ପ୍ରତି ଗାଁରେ ହେବ ଓମ୍ଫେଡ ଷ୍ଟଲ, କାର୍ଯ୍ୟକାରୀ ହେବ କାମଧେନୁ ଯୋଜନା
ଭୁବନେଶ୍ବର (ସଂକେତ ଟିଭି): ପ୍ରତି ଗାଁରେ ହେବ ଓମ୍ଫେଡ ଷ୍ଟଲ । ଗୋ-ରକ୍ଷା,ଗୋ-ସୁରକ୍ଷା,ଗୋ-ବଂଶ ବୃଦ୍ଧି,ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହ ଜୈବିକ ସାର ଉତ୍ପାଦନ ଉପରେ ଧ୍ୟାନ ଦିଆଯିବ । ୧୪୨୩ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା କାମଧେନୁ ଯୋଜନା ଏହି ପଦକ୍ଷେପ ନିଆଯିବ । ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଜିଲ୍ଲାର ସମସ୍ତ ବଡ ବଡ ମନ୍ଦିରରେ ଓମ୍ଫେଡ ଘିଅର ବ୍ୟବହାର କରାଯିବ । ପ୍ରତି ବ୍ଲକରେ କାମଧେନୁ ଯୋଜନା ହେବ । ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦିଆଯିବ । ଗାଈ ବାଛୁରୀଙ୍କ ଖାଦ୍ୟ ପାଇଁ ସବସିଡି ଦିଆଯିବ । ଓମ୍ଫେଡ ଗୁଡ଼ିକର ପୁନର୍ଗଠନ କରାଯିବ । ପ୍ରତି ଗାଁରେ ଗୋପାଳନ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି । ଗାଁ ଗହଳିରେ ଓମ୍ଫେଡ ଚାହିଦା ବଢୁଛି ତେଣୁ ପ୍ରତି ଗାଁରେ ଏହି ଓମ୍ଫେଡ ଷ୍ଟଲ୍ ଖୋଲିବାକୁ ବ୍ୟବସ୍ଥା କରାଯିବ ।
ସେହିପରି ସେ କହିଛନ୍ତି ଗୋ-ଚାଲାଣ ଗୋ-ହତ୍ୟାରେ ଯେଉଁ ମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୋ ରକ୍ଷା, ଗୋ ସୁରକ୍ଷା, ଗୋ ବଂଶ ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି, ଏହା ସହ ଜୈବିକ ସାରା ଆଦିର ଉତ୍ପାଦନ ଉପରେ ଧ୍ୟାନ ଦିଆଯିବ। ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଏଥିରେ ୫ ଜଣ ମନ୍ତ୍ରୀ ଓ ସଚିବ ମଧ୍ୟ ରହିଛନ୍ତି। ରାସ୍ତାଘାଟର ହେଉଥିବା ଗାଈ ଗୋରୁଙ୍କ ଦୁର୍ଘଟଣାକୁ ରୋକିବା ସହ ଥଇଥାନ ଓ ସୁରକ୍ଷାକୁ ଗୁରୁତର ସହ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି ।