ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା
ନୂଆଦିଲ୍ଲୀ (ସଂକେତ ଟିଭି): ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଶପଥ ନେଇଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ୫୧ତମ ପ୍ରଧାନ ବିଚାରପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଜଷ୍ଟିସ୍ ଖାନ୍ନା ପ୍ରଧାନ ବିଚାରପତି ପଦରେ ୬ ମାସ ଅର୍ଥାତ୍ ୨୦୨୫ ମେ’ ମାସ ୧୩ ତାରିଖ ପର୍ଯ୍ୟନ୍ତ ରହିବେ । ଅକ୍ଟୋବର ୧୬ରେ ସିଜେଆଇ ଚନ୍ଦ୍ରଚୂଡ଼ ପରବର୍ତ୍ତୀ ସିଜେଆଇ ଭାବେ ଜଷ୍ଟିସ୍ ଖାନ୍ନା ଙ୍କ ନାମ ସୁପାରିସ କରିଥିଲେ । ଏହା ପରେ କେନ୍ଦ୍ର ସରକାର ଏହା ଉପରେ ମୋହର ମାରି ୨୪ରେ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିଥିଲେ ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ସୁପାରିସକ୍ରମେ ଜଷ୍ଟିସ ଖାନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଅକ୍ଟୋବର ୨୪ରେ ନିଯୁକ୍ତି ଦିଆଯାଇଥିଲା। ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୫ ମେ ୧୩ରେ ଶେଷ ହେବ। ୧୯୮୩ ମସିହାରେ ଓକିଲାତି ଜୀବନ ଆରମ୍ଭ କରିଥିବା ଜଷ୍ଟିସ୍ ଖାନ୍ନା ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ସୁପ୍ରିମକୋର୍ଟର ବିଭିନ୍ନ ପୀଠର ସଦସ୍ୟ ଭାବେ ଗୁରୁତ୍ବପୂର୍ଣ୍ଣ ନ୍ୟାୟିକ ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟରେ ରହିଛି ଇଭିଏମ୍ର ବୈଧତା, ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ରଦ୍ଦ କରିବା, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଜଷ୍ଟିସ ଖାନ୍ନା ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଦେବରାଜ ଖାନ୍ନାଙ୍କ ପୁଅ ଓ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଚଆର ଖାନ୍ନାଙ୍କ ପୁତୁରା।