ବିଜେଡି ଏବେ ଆଇସିୟୁରେ, ଆୟୁଷ ବହୁତ କମ୍ ଦିନ : ଜୟନାରାୟଣ ମିଶ୍ର
ଭୁବନେଶ୍ବର (ସଂକେତ ଟିଭି): ବିଜେଡି ଏବେ ଆଇସିୟୁରେ ରହିଛି । ବିଜେଡ଼ିର ଆୟୁଷ ବହୁତ କମ୍ । ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଏହା କହିଛନ୍ତି । ବରିଷ୍ଠ ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ କାଉଣ୍ଟର ସେ ଏହା କହିଛନ୍ତି ।
ଗତକାଲି ଅତନୁ ସବ୍ୟସାଚୀ ବିସ୍ପୋରକ ବୟାନ ଦେଇଥିଲେ ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି । ଆମର ୫୧ କଂଗ୍ରେସର ୧୪ ଓ ସ୍ୱାଧୀନର ୩ ବିଧାୟକଙ୍କର ସର୍ମଥନ ରହିଛି । ଆଉ ମାତ୍ର ୮-୧୦ ବିଧାୟକ ଦରକାର ୫ମାସ ହେଲାଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାହାନ୍ତି ବୋଲି କେହି ବିଶ୍ୱାସ କରିପାରୁନାହାନ୍ତି । ୫ ମାସ ହେବ ସମସ୍ତ ବିକାଶ କାମ ଷ୍ଟପ ହୋଇ ପଡିଛି । ତେଣୁ ଖୁବଶିଘ୍ର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅତନୁ ମନ୍ତବ୍ୟ ଦେଇଥିଲେ ।
ଏହି ବୟାନକୁ ନେଇ କଟାକ୍ଷ କରି ଜୟନାରାୟଣ କହିଛନ୍ତି ଯେ, ଆଇସିୟୁରେ ବିଜେଡି। ଏବେ ସାଲାଇନ୍ ଲାଗିଛି। ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ। ସ୍ଵାଗତ। କିନ୍ତୁ ବିଜେଡି ଦଳ ରହିଲେ ତ। ବିଜେଡିର ଆୟୁଷ ବହୁତ କମ୍। ଏବେ ତ ବିଜେଡ଼ି ସାଲାଇନ ଓ ଆଇସିୟୁରେ ଅଛି। ଦଳ ଯେହେତୁ ଭାଙ୍ଗିଯାଉଛି, ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି। ନେତୃତ୍ୱ କାହିଁ? ବିଜେଡି ତ ଲିଜ୍ ରେ ଚାଲିଥିଲା। କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଇଥିଲେ। ବିଜେଡିରେ କୌଣସି କର୍ମୀଙ୍କ କଥା ରହିଲାନି।
ଏଣେ ଜୟ ନାରାୟଣ କହିବା ପରେ ପ୍ରତିକ୍ରିୟା ରଖିଲା ବିଜେଡି। ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସମୟ କହିବ ଆଗକୁ କଣ ହେବ। ଓଡ଼ିଶାର ଜନସାଧାରଣ ସେହି ନିଷ୍ପତ୍ତି ନେବେ। ବିଜେପି ଏଭଳି ଦିବା ସ୍ୱପ୍ନ ଦେଖିବା ଛାଡ଼ନ୍ତୁ । ୪ ମାସ ମଧ୍ୟରେ କିଏ ଆଇସିୟୁକୁ ଯାଇଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି ଆଗକୁ ତାହାର ବିଚାର କରିବେ।
ଧ୍ରୁବ ସାହୁ ଆହୁରି କହିଛନ୍ତି, ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଦକ୍ଷ ଅଫିସରମାନଙ୍କୁ ଭଲ ସ୍ଥାନରେ ପୋଷ୍ଟିଂ କରିବା ପାଇଁ ଦାବି କରାଯାଇଥାଏ। ସେଥିରେ କିଛି ନୂଆ ନାହିଁ । ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳ ଥିବା ନେତାମାନେ ଏଭଳି ମନ୍ତବ୍ୟ ଦେବା ଠିକ ନୁହେଁ । ଅରୁଚିକର ମନ୍ତବ୍ୟ ଦେବାରୁ କ୍ଷାନ୍ତ ରୁହନ୍ତୁ। ଗରିବ ଲୋକଙ୍କ ପ୍ରତି ତାଙ୍କ ଦାୟିତ୍ୱ କଣ ବୁଝି ବିଚାରି ମନ୍ତବ୍ୟ ରଖନ୍ତୁ।