୩ ବିଶ୍ବବିଦ୍ୟାଳୟରେ ଖୁବ୍ ଶୀଘ୍ର ନିଯୁକ୍ତି ହେବେ କୁଳପତି
ଭୁବନେଶ୍ବର (ସଂକେତ ଟିଭି): ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ବିଶ୍ବବିଦ୍ୟାଳୟ, ଜିଏମ୍ ବିଶ୍ବବିଦ୍ୟାଳୟରେ କୁଳପତି ଖୁବ୍ ଶୀଘ୍ର ନିଯୁକ୍ତି ହେବେ । ଏହି ୩ ବିଶ୍ବବିଦ୍ୟାଳୟରେ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଚିଠି କରାଯାଇଛି । ଉଚ୍ଚଶିକ୍ଷା ସଚିବଙ୍କୁ ରାଜ୍ୟପାଳଙ୍କ ସଚିବ ଚିଠି ଲେଖିଛନ୍ତି । ଓଡ଼ିଶା ୟୁନିଭରସିଟି ଆକ୍ଟ ୧୯୮୯ ଅନୁଯାୟୀ କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିବା ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଉଚ୍ଚ ଶିକ୍ଷା ବିଭଗ ସଚିବଙ୍କୁ ଚିଠି କରାଯାଇଛି । ଏନେଇ ବିଜ୍ଞାପନ ପ୍ରକ୍ରିୟା ଶେଷ କରି ଆବେଦନ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୨୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ । ଏହି ମାସ ୨୬ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ୨୭ ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ଏନ୍ ନାଗାରାଜୁଙ୍କର କାର୍ଯ୍ୟକାଳ ଶେଷ ହେବ । ତେବେ ଏହି ଚିଠି ପରେ ଖୁବ୍ ଶୀଘ୍ର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇପାରେ ।