CrimeLatestNews

ଖତ ଗଦାରୁ ବାହାରିଲା ହାଇଦ୍ରାବାଦରୁ ଚୋରୀ ହୋଇଥିବା ୨୦ଲକ୍ଷ ଟଙ୍କା

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ବଡ଼ମନ୍ଦାରୁଣୀ ଗ୍ରାମର ଘର ପଛ ପଟ ଖତ ଗଦାରୁ ପୋଲିସ ଉଦ୍ଧାର କଲା ୨୦ଲକ୍ଷ ଟଙ୍କା । ଏହା ହାଇଦ୍ରାବାଦର ଏକ ଏଗ୍ରୋ ଇଣ୍ଡଷ୍ଟ୍ରିର ଲକରରୁ ଚୋରୀ ହୋଇଥିବା ଟଙ୍କା ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଗାଁର ଗୋପାଳ ବେହେରା ହାଇଦ୍ରାବାଦର ଏକ ଏଗ୍ରୋ ଇଣ୍ଡଷ୍ଟ୍ରିରେ ଗତ ଦଶ ବର୍ଷ ହେଲା କାମ କରୁଥିଲେ । କମ୍ପାନୀର ଆକାଉଣ୍ଟାଟ ପାଞ୍ଚ ଦିନ ଛୁଟିରେ ଯାଇଥିବାବେଳେ କମ୍ପାନୀ ଗୋପାଳଙ୍କୁ ଆକାଉଣ୍ଟ ଦାୟିତ୍ବ ଦେଇଥିଲା । ଏହି ସମୟରେ ସେ ଲକର୍‌ର ପାସୱାର୍ଡ ହାତେଇ ନେଇଥିଲା । ଏହା ସହିତ ଲକର ରୁମର ଡୁପ୍ଲିକେଟ ଚାବି ତିଆରି କରିଥିଲା । ତିନି ଦିନ ବ୍ୟାଙ୍କ ଛୁଟି ଥିବାରୁ ମାଲିକ ଗତ ୭ ତାରିଖ ଦିନ ଲକରରେ ୨୦ ଲକ୍ଷ ୮୦ ହଜାର ୬୭୦ ଟଙ୍କା ରଖିଥିଲେ। ଗତ ସୋମବାର ଦିନ ଗୋପାଳ ସମସ୍ତ ସିସି ଟିଭି ବନ୍ଦ କରି ଲକରରେ ଥିବା ଟଙ୍କା ଚୋରୀ କରି ହାଇଦ୍ରାବାଦରେ ରହୁଥିବା ଶାଳକକୁ ଦେଇଥିଲେ । ଶାଳକ ଟ୍ରେନ ଯୋଗେ ଜଳେଶ୍ବର ଆସି ତାଙ୍କ ବାପା ଓ ମା କୁ ଟଙ୍କା ଭର୍ତ୍ତି ବ୍ୟାଗ ଦେଇଥିଲେ।

ଏନେଇ ହାଇଦ୍ରାବାଦ ପୋଲିସ ପାଖରେ ଅଭିଯୋଗ ହୋଇଥିଲା । ହାଇଦ୍ରାବାଦ ପୋଲିସ ଓ କମର୍ଦ୍ଦା ପୋଲିସ ମିଳିତ ସହାୟତାରେ ଆଜି ବଡ଼ମନ୍ଦାରୁଣୀ ଗ୍ରାମରେ ଗୋପାଳଙ୍କ ଶାଳକ ରବୀନ୍ଦ୍ର ବେହେରାଙ୍କ ଖତ ଗଦାରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିଲା। ଗୋପାଳ ଫେରାର ହୋଇଯାଇଥିବା ବେଳେ ଶାଳକ ରବୀନ୍ଦ୍ର ବେହେରା ଓ ଶାଶୂଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।