LatestNews

ବାଘୁଣୀ ଜୀନତ କଲା ପ୍ରଥମ ଶିକାର

ବାରିପଦା (ସଂକେତ ଟିଭି): ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥ‌ିବା ଦ୍ବିତୀୟ ବାଘୁଣୀ ଜୀନତ୍ ଏକ ବାରହା ଶିକାର କରିଛି । ଗତକାଲି (ଶୁକ୍ରବାର) ରାତି ପ୍ରାୟ ୧୦ଟା ସମୟରେ ସଫ୍ଟ-ଏନକ୍ଲୋଜର ମଧ୍ୟରେ ଛଡା ଯାଇଥିବା ଏକ ବାରହାକୁ ଶିକାର କରି ଜୀନତ୍ ଖାଇଥିଲା । ଶିକାରକୁ ଖାଇବା ପରେ ଜୀନତ ପାଣି ପିଇ ସ୍ବାଭାବିକ ଭାବେ ବିଶ୍ରାମ କରିଥିଲା । ଏଥିସହ ଜୀନତର ସ୍ବାସ୍ଥ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଠିକ୍ ରହିଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗୀନେନି କହିଛନ୍ତି ।

ଏବେ ଜୀନତ୍‌କୁ ୩ ବର୍ଷ ହୋଇଗଲାଣି। ‌ତେଣୁ ଜଙ୍ଗଲ‌ରେ ଶିକାର କରିବାରେ ସେ ପାରଙ୍ଗମ ହୋଇଯାଇଛି। ଆଜି ନିଜ ପ୍ରଥମ ଶିକାର ପରେ ପାଣି ପିଇ ବେଶ୍‌ କିଛି ସମୟ ବିଶ୍ରାମ ନେଇଛି। ଜୀନତ୍‌ର ସ୍ବାସ୍ଥ୍ୟ ଠିକ୍‌ ରହିଛି ଓ ଏହା ସ୍ବାଭାବିକ ଭାବେ ନିଜ ଶିକାରକୁ ଗୋଡ଼ାଇ ଗୋଡ଼ାଇ ମାରିବା ସହ ଏହାକୁ ଖାଇଛି। ‌ତେବେ ଶିମିଳିପାଳ ପରିବେଶ ସହ ଖାପ ଖୁଆଇବା ପାଇଁ ଆଉ ୨ରୁ ୩ ସପ୍ତାହ ଲାଗିପାରେ। ଏହାପରେ ସଫ୍ଟ ଏନ୍‌କ୍ଲୋଜରରୁ ମୁକ୍ତ କରି ଏହାକୁ ଶିମିଳିପାଳର ଘଞ୍ଚ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲା ସ୍ଥିତ ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତାଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯ ଶହ କିଲୋମିଟର ଯାତ୍ରା କରି ପୁଣି ଆଉ ଗୋଟିଏ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଛି । ଯାହାର ନାଁ ହେଉଛି ‘ଜୀନତ୍’ ଏବଂ ବୟସ ହେଉଛି ତିନି ବର୍ଷ । ଶିମିଳିପାଳ ଅଭୟାରଣ୍ୟର ଏକ ସ୍ବତନ୍ତ୍ର ଦଳ କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ଯାଇଥିଲେ । ବାଘୁଣୀକୁ ଅଣାଯିବା ପରେ ଶୁକ୍ରବାର ସକାଳ ୯ଟା ବେଳେ ଯମୁନାଘାଟି କୋର ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ-ଏନକ୍ଲୋଜରରେ ଛଡା ଯାଇଥିଲା । ଏନକ୍ଲୋଜର ଭିତରେ ବାଘୁଣୀ ଜୀନତ୍ ସୁସ୍ଥ ଭାବେ ଚଳ ପ୍ରଚଳ କରୁଥିବା ବେଳେ ଗତକାଲି (ଶୁକ୍ରବାର) ରାତିରେ ଏକ ବାରହା ଏନକ୍ଲୋଜର ଭିତରେ ଛଡ଼ା ଯାଇଥିଲା ।