ମଣିପୁରରେ ପୁଣି ବ୍ୟାପକ ହିଂସା, ୬ ଅପହୃତଙ୍କୁ ହତ୍ୟା କଲେ କୁକି ଉଗ୍ରପନ୍ଥୀ
ଇମ୍ଫାଲ (ସଂକେତ ଟିଭି): ମଣିପୁରରେ ପୁଣିଥରେ ବ୍ୟାପକ ହିଂସା ଦେଖାଦେଇଛି । ଗତ ସୋମବାରଠାରୁ ଅପହୃତ ଗୋଟିଏ ପରିବାରର ୬ ଜଣଙ୍କୁ କୁକି ଉଗ୍ରପନ୍ଥୀମାନେ ନିର୍ମମ ହତ୍ୟା କରିଛନ୍ତି। ସମସ୍ତଙ୍କ ମରଶରୀର ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ୩ ଜଣ ଶିଶୁ ଅଛନ୍ତି। ଏକ ୮ ମାସର ଶିଶୁକୁ ବି ସେମାନେ ଛାଡ଼ିନାହାନ୍ତି। ଶୁକ୍ରବାର ସନ୍ଧ୍ୟାରେ ଜିରି ନଦୀରେ ସମସ୍ତ ୬ ଜଣଙ୍କ ମୃତଦେହ ଭାସୁଥିବା ଦେଖିବାପରେ ସ୍ଥାନୀୟ ଲୋକମାନେ ପୋଲିସରେ ଖବର ଦେଇଥିଲେ। ତୁରନ୍ତ ମୃତଦେହଗୁଡ଼ିକୁ ସିଲଚର ମେଡିକାଲ କଲେଜ ନେଇ ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ମଣିପୁରର ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ ବ୍ୟାପକ ହିଂସା ଦେଖା ଦେଇଛି । ତିନି ଜଣ ମନ୍ତ୍ରୀ ଓ ଏକାଧିକ ବିଧାୟକଙ୍କ ବାସଭବନରେ ଉତ୍ୟକ୍ତ ଲୋକେ ଆକ୍ରମଣ ଉଦ୍ୟମ କରିଛନ୍ତି । ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ବଳ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ-ପୂର୍ବ ଓ ପଶ୍ଚିମ ସମେତ ସମେତ ତିନି ଜିଲ୍ଲାରେ କର୍ଫ୍ୟୁ ସହ ସାତଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ପଡିଛି ।
ସୂଚନା ଅନୁସାରେ, ନଭେମ୍ବର ୧୧ ତାରିଖରେ ବୋରବେକ୍ରା ଅଞ୍ଚଳର ଏକ ଥାନା ଉପରେ କିଛି ଲୋକ ଆକ୍ରମଣ କରିଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ଏହି ଆକ୍ରମଣର ମୁକାବିଲା କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୧ ଉଗ୍ରପନ୍ଥୀ ନିପାତ ହୋଇଥିଲେ। ଏହାର ଜବାବରେ ଉଗ୍ରପନ୍ଥୀମାନେ ଥାନା ନିକଟସ୍ଥ ଏକ ରିଲିଫ୍ ଶିବିର ଉପରେ ଆକ୍ରମଣ କରି ୩ ଜଣଙ୍କୁ ହତ୍ୟା କରିବା ସହ ୬ ଜଣଙ୍କୁ ଅପହରଣ କରିନେଇଥିଲେ। ଆଜି ଜିରିବାମ୍ର ବୋରବେକ୍ରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣାର କିଛି ସମୟ ପରେ ୬ ଜଣଙ୍କ ମୃତଦେହ ଠାବ ହୋଇଥିଲା। ସମସ୍ତ ମୃତକ ମୈତେୟୀ ସମ୍ପ୍ରଦାୟର। ସେମାନେ ବୋରବେକ୍ରା ଥାନା ଅଧୀନସ୍ଥ ଏକ ରିଲିଫ୍ କ୍ୟାମ୍ପ୍ରେ ରହୁଥିବାବେଳେ ଉଗ୍ରପନ୍ଥୀମାନେ ସେଠାରେ ଆକ୍ରମଣ କରିଥିଲେ। ଶିବିର ଉପରେ ସେମାନେ ଗୁଳିମାଡ଼ କରିବା ସହ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ ଏବଂ ଗୋଟିଏ ପରିବାରର ୬ ଜଣଙ୍କୁ ଅପହରଣ କରିନେଇଥିଲେ। ଜିରିମୁଖରେ ଜିରି ନଦୀରୁ ସମସ୍ତଙ୍କ ମୃତଦେହ ଠାବ ହୋଇଛି । ମୃତ୍ୟୁ ହୋଇଥିବା ୬ ଜଣଙ୍କ ମଧ୍ୟରେ ଜଣେ ଜଣେ ମହିଳା, ତାଙ୍କ ୨ ଝିଅ ଏବଂ ୩ ନାତି ନାତୁଣୀ ଥିଲେ।
ଇତିମଧ୍ୟରେ ମଣିପୁରର ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ ଏହି ୬ ଜଣଙ୍କୁ ହତ୍ୟା ଘଟଣାର ବିରୋଧ କରି ଜୋରଦାର ଆନ୍ଦୋଳନ ହୋଇଥିବାରୁ ଏହି ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ଅନ୍ୟପକ୍ଷେ ୭ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୌବାଲ୍, କାକଚିଙ୍ଗ, କୋଙ୍ଗପୋକପି ଏବଂ ଚୁଡ଼ାଚାନ୍ଦପୁର ଜିଲ୍ଲାରେ ୨ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ ରହିଛି। ଇମ୍ଫାଲରେ ଆଜି ଉତ୍ତ୍ୟକ୍ତ ଜନତା କୁକି ଉଗ୍ରପନ୍ଥୀଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ବାସଭବନକୁ ଘେରିଯିବା ସହ ଧସେଇ ପଶିବାକୁ ପ୍ରୟାସ କରିବାରୁ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହା ସହିତ ଉତ୍ତ୍ୟକ୍ତ ଜନତା ୨ ଜଣ ମନ୍ତ୍ରୀ ଓ ୩ ବିଧାୟକଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।