ହାତୀ ମୃତ୍ୟୁ ମାମଲାରେ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ
କଟକ (ସଂକେତ ଟିଭି): ସମ୍ବଲପୁରରେ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ମାମଲାରେ ଓଡିଶା ହାଇକୋର୍ଟ ନିଜ ଆଡୁ ଜନସ୍ଵାର୍ଥ ମାମଲା ଦାୟର କରିବା ସହ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ସମ୍ବଲପୁର ନାକଟିଦେଉଳ ରେଞ୍ଜ ରେଞ୍ଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ୩ ହାତୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ବିଦ୍ୟୁତ୍ ତାର ବିଛାଇଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟଜଣେ ଫେରାର ଥିବା ଜଣାପଡିଛି। ସୋମବାର ସକାଳୁ ବୁରୋମାଳ ଜଙ୍ଗଲ ନିକଟସ୍ଥ ଚାଷଜମିରେ ୩ ହାତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ବନ କର୍ମଚାରୀ ପହଞ୍ଚି ୩ ମୃତଦେହ ଜବତକରି ତଦନ୍ତ କରିଥିଲେ। ଘୋଷରାମାଳ ଅଞ୍ଚଳର କେତେକ ବ୍ୟକ୍ତି ବାର୍ହା ଶିକାର ପାଇଁ ବୁରୋମାଳ ଜଙ୍ଗଲ ଭିତରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରୁ ତାର ଟାଣି ତଳେ ବିଛାଇଥିଲେ। ଏହା ହାତୀ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ହାତୀପଲ ଏହିରାସ୍ତା ଦେଇ ଯାଉଥିବା ବେଳେ ଏହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ଏକ ଛୁଆହାତୀ ସମେତ ୩ ମାଈ ହାତୀର ମୃତ୍ୟୁ ଘଟିଥିଲା। ବନବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ ୩ ହାତୀଙ୍କ ଜୀବନ ଯାଇଥିବା ସ୍ପଷ୍ଟ କରିଥିଲେ ପିସିସିଏଫ୍ ସୁଶାନ୍ତ ନନ୍ଦ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍ବେଗ ପ୍ରକାଶ କରିଥିଲେ । ହାତୀ ମୃତ୍ୟୁର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଥିଲେ ।