ରାଜ୍ୟରେ ଖୋଲିଲା ଧାନମଣ୍ଡି, ଆରମ୍ଭ ହେଲା ଧାନ କିଣା ପ୍ରକ୍ରିୟା
ଭୁବନେଶ୍ବର (ସଂକେତ ଟିଭି): ବୁଧବାରଠାରୁ ରାଜ୍ୟରେ ଧାନମଣ୍ଡି ଖୋଲିଛି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବରଗଡ ଜିଲ୍ଲା ସୋହେଲାରେ ଧାନମଣ୍ଡିରେ ଶୁଭାରମ୍ଭ କରିଛନ୍ତି । ଏଥିଲାଗି ସୋହେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିପରି ସେ ଜିଲ୍ଲାର କଳାପାଣି, ଅତାବିରା ଓ ଗୋଡଭଗାଠାରେ ଧାନମଣ୍ଡିର ଶୁଭାରମ୍ଭ କରିଥିଲେ ।
ଧାନ ମଣ୍ଡି ଖୋଲିବା ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଆଜିଠୁ ଆରମ୍ଭ ହେଉଛି ଧାନ କିଣା ଆରମ୍ଭ ହୋଇଛି। ବାହାର ରାଜ୍ୟ ଚାଷୀ ଓ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର। ସୀମାରେ ପୋଲିସ ପାଟ୍ରୋଲିଂ ନିରନ୍ତର ଚାଲିଛି। ଯେମିତି ଅନ୍ୟ ରାଜ୍ୟର ଚାଷୀ ଓଡ଼ିଶାରେ ଆସି ଧାନ ବିକ୍ରି କରିବେ ନାହିଁ, ସେଥିପାଇଁ ପଦକ୍ଷେପ ନେଇଛନ୍ତି ସରକାର। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅସୁବିଧା ସାମ୍ନାକୁ ଆସିନାହିଁ । ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମଣ୍ଡିରେ ଗ୍ରେନ ଆନାଲାଇଜର ଲଗାଯାଇଛି । ଚାଷୀଙ୍କ ଧାନକୁ ବର୍ଷା ପାଣିରୁ ସୁରକ୍ଷିତ ରଖିବା ପାଇଁ ମଣ୍ଡିରେ ପଲିଥିନ ବ୍ୟବସ୍ଥା କରାଯାଇଛି ।
ବିନା କଟନି ଛଟନିରେ ଧାନ ବିକିପାରିବେ ଚାଷୀ । ଧାନ କ୍ୱିଇଣ୍ଟାଲ୍ ପିଛା ଚାଷୀଙ୍କୁ ମିଳିବ ୩୧ ଶହ ଟଙ୍କା । ଯେଉଁଥିରୁ ଏମ୍ଏସ୍ପି ବାବଦରେ ୨୩ ଶହ ଟଙ୍କା କେନ୍ଦ୍ର ସରକାର ଦେବାକୁ ଥିବା ବେଳେ ରାଜ୍ୟ ସରକାର ଅତିରିକ୍ତ ୮ ଶହ ଟଙ୍କା ଦେବେ । ଏହିସମସ୍ତ ଟଙ୍କା ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟଙ୍କୁ ଟ୍ରାନ୍ସଫର କରାଯିବ ବୋଲି ସେ କହିଛନ୍ତି।