BusinessFeaturedLatestNews

ଆଦାନୀ ୨ହଜାର କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ଆଣିଲା ଆମେରିକା

ନୂଆଦିଲ୍ଲୀ (ସଂକେତ ଟିଭି): ଆଦାନୀ ଗ୍ରୁପ୍‌ କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି। ଏହି ଘଟଣା ଆଦାନୀ ଗ୍ରୁପ କମ୍ପାନୀ ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ ସଂସ୍ଥା ସହିତ ଜଡିତ ।

ବୁଧବାର ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (ଏସ୍‌ଇସି) ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର ଅଧିକାରୀ ତଥା ଅନ୍ୟ ଏକ ସଂସ୍ଥା ଆଜୁର୍‌ ପାୱାର୍‌ ଗ୍ଲୋବାଲ ଲିମିଟେଡର କାର୍ଯ୍ୟନିର୍ବାହୀ ସିରିଲ କାବାନ୍ସଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର, ଅନ୍ୟ ୭ଜଣ ଅଭିଯୁକ୍ତଙ୍କ ସହିତ, ସେମାନଙ୍କର ଅକ୍ଷୟ ଶକ୍ତି କମ୍ପାନୀ ପାଇଁ ଚୁକ୍ତିନାମା ପାଇବା ଏବଂ ଭାରତର ସର୍ବ ବୃହତ ସୌର ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ପ୍ରାୟ ୨୬୫ ନିୟୁତ ଡଲାର୍‌ ଲାଞ୍ଚ ଦେଇଥିଲେ। ଏହି ଲାଞ୍ଚ୍‌ ୨୦୨୦ ମସିହାରୁ ନେଇ ୨୦୨୪ ଭିତରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି।

ଆଦାନୀ ଗ୍ରୁପ୍‌ ଗୁରୁବାର ଏକ ବିବୃତି ଜାରି କରି ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛି। ଆଦାନୀ ଗ୍ରୁପ୍‌ ପକ୍ଷରୁ ବିବୃତିରେ ଆହୁରି ଉଲ୍ଳେଖ କରଯାଇଛି ଯେ ‘ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତମାନେ ନିର୍ଦ୍ଦୋଷ ବୋଲି ଧରାଯାଏ।’’।

“ଆଦାନୀ ଗ୍ରୁପ୍ ସର୍ବଦା ଏହାର କାର୍ଯ୍ୟର ସମସ୍ତ ପ୍ରାଧିକରଣ ମଧ୍ୟରେ ସର୍ବୋଚ୍ଚ ଶାସନ, ସ୍ୱଚ୍ଛତା ଏବଂ ନିୟାମକ ମାନ୍ୟତା ବଜାୟ ରଖିବା ପାଇଁ ଦୃଢ଼ ପ୍ରତିବଦ୍ଧ ଅଟେ। ଆମେ ଆମର ହିତାଧିକାରୀ, ଭାଗିଦାରୀ ଏବଂ କର୍ମଚାରୀମାନଙ୍କୁ ନିଶ୍ଚିତ କରୁଛୁ ଯେ ଆମେ ଏକ ଆଇନ ପାଳନକାରୀ ସଂଗଠନ, ଏହାକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛୁ।’’ ବୋଲି ଗ୍ରୁପ୍‌ ଜାରି କରିଥିବା ବିବୃତିରେ ଉଲ୍ଲେଖ କରାଯାଇଛି।