EntertainmentFeaturedGeneralLatest

ଆସିଲା ପ୍ରସାର ଭାରତୀ ନୂଆ ଓଟିଟି ପ୍ଲାଟଫର୍ମ, ମାଗଣାରେ ଦେଖିହେବ ୬୫ ଚ୍ୟାନେଲ୍

ନୂଆଦିଲ୍ଲୀ (ସଂକେତ ଟିଭି): ଏବେ ଦୂରଦର୍ଶନ ଓଟିଟିରେ ପାଦ ଥାପିଛି। ଭାରତର ସରକାରୀ ପ୍ରସାରଣକାରୀ ପ୍ରସାର ଭାରତୀ ତାଙ୍କର ଓଟିଟି ଆପ୍ ‘ୱେଭସ୍’ ଲଞ୍ଚ କରିଛନ୍ତି। ଏବେ ଆପରେ ୟୁଜର ଦୂରଦର୍ଶନ ଓ ଆକାଶବାଣୀର ସବୁ ପୁରୁଣା ଓ ବଡ଼ ସୋ ଦେଖି ପାରିବେ। ୱେଭସ୍ ନାମକ ଏହି ଓଟିଟି ସେବାର ଉଦ୍ଦେଶ୍ୟ ସାରା ଦେଶର ଦର୍ଶକଙ୍କୁ ଫିଲ୍ମ, ଟିଭି ସିରିଜ, ଲାଇଭ ଇଭେଣ୍ଟ, ଅଡିଓ, ଗେମ ଓ ସଚିତ୍ର ଇ-ବୁକ୍ସ ସହିତ ବ୍ୟାପକ ଶ୍ରେଣୀର ସାମଗ୍ରୀ ଉପଲବ୍ଧ କରିବା। ବିଶେଷ କରି ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଲାଗି ଏହି ଓଟିଟି ପ୍ଲାଟଫର୍ମ ଲଞ୍ଚ ହୋଇଥିବା ବେଳେ ଏହାକୁ ପ୍ରାଥମିକ ସ୍ତରରେ ନିଶୁଳ୍କ ରଖାଯାଇଛି ।

ଆଣ୍ଡ୍ରଏଡ୍ ଏବଂ ଆଇଓଏସରେ ଉପଲବ୍ଧ ଏହି ଆପ୍ ‘ୱେଭ୍ସ’ – ପାରିବାରିକ ମନୋରଞ୍ଜନର ନୂତନ ତରଙ୍ଗ’ ଟ୍ୟାଗଲାଇନ୍ ଅଧୀନରେ ବିଭିନ୍ନ ବିଷୟବସ୍ତୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଦ୍ବାରା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI)ର ଉଦଘାଟନୀ ସମାରୋହରେ ଏହି ପ୍ଲାଟଫର୍ମ ଉନ୍ମୋଚିତ କରାଯାଇଛି । ଏହି ଆପ୍‌କୁ ଗୋଆ ମୁଖ୍ୟମନ୍ତ୍ରୀ ଭାରତୀୟ ମନୋରଞ୍ଜନ ଶିଳ୍ପ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି ।

ୱେଭ୍ସ’ ପ୍ଲାଟଫର୍ମରେ ୟୁଜର ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ମରାଠୀ, କନ୍ନଡ, ମାଲାୟାଲାମ, ତେଲେଗୁ, ତାମିଲ, ଗୁଜୁରାଟୀ, ପଞ୍ଜାବୀ ଏବଂ ଆସାମି ଭଳି ୧୨ ଭାଷାରେ କଣ୍ଟେଣ୍ଟ ଦେଖିପାରିବେ । ଏଥିରେ ୬୫ଟି ଲାଇଭ୍ ଟିଭି ଚ୍ୟାନେଲ୍, ଭିଡିଓ-ଅନ୍-ଡିମାଣ୍ଡ, ଫ୍ରି-ଟୁ-ପ୍ଲେ ଗେମ୍‌ ଏବଂ ONDC ସହଯୋଗରେ ଅନଲାଇନ୍ ସପିଂ ଅନ୍ତର୍ଭୁକ୍ତ ।