ଲକ୍ଷ୍ମଣନାଥ ଟୋଲ ଗେଟରେ ପିଟି ହୋଇ ଜଳିଗଲା କଣ୍ଟେନର୍: ଡ୍ରାଇଭର ଜୀବନ୍ତ ଦଗ୍ଧ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ସୁରକ୍ଷା ବାଡ଼କୁ ଧକ୍କା ଦେଇ ଜଳିଗଲା କଣ୍ଟେନର। ଦୁର୍ଘଟଣା ପରେ କଣ୍ଟେନର ସହ ଚାଳକ ଜୀବନ୍ତ ଜାଳି ଯାଇଛନ୍ତି।ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଜଳେଶ୍ଵର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ରାତି ପ୍ରାୟ ୨ ଟା ୧୫ ମିନିଟ ସମୟରେ ଏହି ମାଲ ବୋଝେଇ କଣ୍ଟେନରଟି ପଶ୍ଚିମବଙ୍ଗରୁ ଓଡ଼ିଶା ଅଭିମୁଖେ ଆସୁଥିଲା। ତେବେ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଥିବା କଙ୍କ୍ରିଟ ଡିଭାଇଡର ଉପରକୁ କଣ୍ଟେନରଟି ଭାରସାମ୍ୟ ହରାଇ ଚଢ଼ିଯିବା ସହ ଟୋଲ ପ୍ଲାଜା କେବିନ୍ ଦେହରେ ପିଟି ହୋଇଥିଲା। ଏହାପରେ କଣ୍ଟେନରଟି ହୁତୁ ହୁତୁ ହୋଇ ଜଳିବା ସହ ଚାଳକ ମଧ୍ୟ ଜୀବନ୍ତ ଜାଳି ଯାଇଥିଲେ। ଏହି ସମୟରେ ଟୋଲ ପ୍ଲାଜା କେବିନ୍ ଭିତରେ ଡ୍ୟୁଟିରେ ଥିବା ଟୋଲ କର୍ମଚାରୀ ଅଳ୍ପକେ ରକ୍ଷା ପାଇ ଯାଇଥିଲେ।
କେବିନ ମଧ୍ୟରେ ଥିବା ଟୋଲ କର୍ମଚାରୀ ଅଳ୍ପକେ ରକ୍ଷା ପାଇଥିବା ବେଳେ କଣ୍ଟେନରରେ ଥିବା ଡ୍ରାଇଭର ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟାର ଅପରେଶନ ପରେ ନିଆଁକୁ ଆୟତ୍ତ କରିଥିଲା ବେଳେ ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି।
ଜାତୀୟ ରାଜପଥ ବିଭାଗର କର୍ମଚାରୀମାନେ କ୍ରେନ ସାହାଯ୍ୟରେ କଣ୍ଟେନରକୁ ହଟାଇଥିଲେ। ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବ୍ୟାଘାତ ହୋଇଥିବା ବେଳେ ଭୋର ୫ ଟାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଦ୍ରୁତ ଗତି ସହ ଡ୍ରାଇଭର ଆଖି ଲାଗି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଇଛି।