ପୋଲିସକୁ ବ୍ୟବହାର କରି ହିଂସାକୁ ଉତ୍ସାହିତ କରୁଛନ୍ତି ରାଜ୍ୟ ସରକାର : ବିଜେଡି
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ପୋଲିସକୁ ବ୍ୟବହାର କରି ହିଂସାକୁ ଉତ୍ସାହିତ କରୁଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିଜେଡି ରାଜ୍ୟ ସରକାର ଉପରେ ବର୍ଷିଛି ।
ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ଆଇନଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି । ରାଜ୍ୟରେ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି । ପୋଲିସକୁ ବ୍ଯବହାର କରି ହିଂସାକୁ ଉତ୍ସାହିତ କରାଯାଉଛି । ବାଲେଶ୍ବର, ଭଦ୍ରକରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରାଗଲା । ସରକାର ଆସିବା ଦିନଠାରୁ ଚୋରି, ଡକାୟତି ବଢ଼ିଛି । ପୋଲିସକୁ ବ୍ଯବହାର କରି ରାଜ୍ୟ ସରକାର ହିଂସାକୁ ଉତ୍ସାହିତ କରୁଛନ୍ତି। ସାଧାରଣ ଲୋକେ ତ୍ରାହି ତ୍ରାହି ଡାକିଲେଣି । ପୋଲିସକୁ ସରକାରୀ ଗୁଣ୍ଡା ଭାବେ ବ୍ଯବହାର କରାଯାଉଛି ।
ଯାଜପୁର ଘଟଣା, କୁଚିଣ୍ଡା ଗଣଦୁଷ୍କର୍ମ, ବଙ୍ଗୋମୁଣ୍ଡା, କଟକ, ନୀଳଗିରି ଘଟଣାର ଉଦାହରଣ ଦେଇ ବିଜେପିକୁ ପ୍ରମିଳା ଟାର୍ଗେଟ କରିଛନ୍ତି । ଧର୍ମଶାଳା ବିଧାୟକ ଶହେରୁ ଅଧିକ ଲୋକଙ୍କୁ ନେଇ ଯାଜପୁର ଯିବାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି । ଗଣ୍ଡଗୋଳ ଘଟଣାରେ କେବଳ ବିଜେଡି କର୍ମୀଙ୍କୁ ଗିରଫ କରାଯିବା ଓ ସରକାରୀ ଦଳର ନେତା ଓ କର୍ମୀଙ୍କୁ କାହିଁକି ଗିରଫ କରାଗଲାନାହିଁ ବୋଲି ଦଳ ପ୍ରଶ୍ନ କରିଛି ।
ସେ କହିଛନ୍ତି, ଯାଜପୁରରେ ଗଣତାନ୍ତ୍ରୀୟ ଉପାୟରେ ଆନ୍ଦୋଳନ ଚାଲିଥିଲା । ଧର୍ମଶାଳା ବିଧାୟକ ଜବରଦସ୍ତ ଆନ୍ଦୋଳନ ଭିତରକୁ ପଶିଥିଲେ । ବିଧାୟକଙ୍କ ଯୋଗୁଁ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେଲା। ଗୋଟିଏ ରାଜନୈତିକ ଦଳର ୧୯ଜଣଙ୍କୁ ଗିରଫ କରାଗଲା । ଅନ୍ଯ ଦଳରେ ଜଣେ ବି କାହାକୁ ଗିରଫ କରାଗଲା ନାହିଁ । ଏହାବାଦ ସଂଘବଦ୍ଧ ଭାବେ ବିଜେଡି କର୍ମୀମାନଙ୍କୁ ଆକ୍ରମଣ କରାଯାଉଛି । ଏହା ଅତ୍ୟନ୍ତ ବିପଦଜନକ ବୋଲି ଦଳ ପକ୍ଷରୁ ପ୍ରମିଳା କହିଛନ୍ତି ।