LatestNewsPolitics

୨୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା

ସୁନ୍ଦରଗଡ (ସଂକେତ ଟିଭି): ହିତାଧିକାରୀଙ୍କ ଖାତାକୁ ଆସିଛି ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ ଗସ୍ତରେ ଆସି ଯତରା ପଡ଼ିଆ‌‌ରେ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେଇ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି। ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନିଜ ହାତରେ ୧୦ ଜଣ ମହିଳାଙ୍କୁ ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତିର ଡମି ଚେକ୍‌ ଦେଇଛନ୍ତି। ଏହ ସହିତ ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ରାଜ୍ୟର ୨୨ ପ୍ରତିଶତ ମହିଳାଙ୍କୁ ଆଜି ‘ସୁଭଦ୍ରା’ ସହାୟତା ରାଶି ମିଳିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ବାହାରି ୧୦ଟା ୫୦ରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇବା ସମୟ ନିର୍ଘଣ୍ଟ ଆସିଥିଲା। ସେଠାରୁ ସଡ଼କ ପଥରେ ଆସି ୧୧ଟା ୩୦ରେ ସୁନ୍ଦରଗଡ଼ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତ ମୁଖ୍ୟମନ୍ତ୍ରୀ ଅଢ଼େଇ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ସମାବେଶରେ ଯୋଗ ଦେବାକୁ ସକାଳୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ମହିଳା ଆସିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟତୀତ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଆଦିବାସୀ ବ୍ଯାପାର ମନ୍ତ୍ରୀ ଜୁଏଲ ଓରାମ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା ଏବଂ ଜିଲ୍ଲାପାଳ ମନୋଜ ମହାଜନ ମଞ୍ଚାସୀନ ଥିଲେ।