LatestNews

ଜାତୀୟ ରାଜପଥ ଅନିର୍ଧିଷ୍ଟ କାଳ ପାଇଁ ଅବରୋଧ କରିବେ ବିର୍ଲା ଟାୟାର୍ସ ଶ୍ରମିକ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ବିର୍ଲା ଟାୟାର୍ସର ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା ଶୁକ୍ରବାରଠାରୁ ଜାତୀୟ ରାଜପଥକୁ ଅନିର୍ଧିଷ୍ଟ କାଳ ପାଇଁ ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି । ବିର୍ଲା ଟାୟାର୍ସ କାର୍ଯ୍ୟକ୍ଷମ ହେବା ପରେ ପୁରୁଣା ସମସ୍ତ ବର୍ଗର ଶ୍ରମିକଙ୍କ ଚାକିରି ପ୍ରଦାନ କରିନାହିଁ । ସେମାନଙ୍କ ଚାକିରୀରେ ପୁନଃ ନିଯୁକ୍ତି ତଥା ସମସ୍ତ ଆଇନଗତ ବକେୟା ପାଉଣା ପ୍ରଦାନ କରିବା ପାଇଁ ସଂଗଠନମାନେ ଦାବି କରିଛନ୍ତି ।

ଏହି ଦାବି ନେଇ ସାଧାରଣ ଶ୍ରମିକ ଓ ତାଙ୍କ ପରିବାର ଗତ 5 ତାରିଖଠାରୁ କାରଖାନାର ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ କାରଖାନା କର୍ତ୍ତୃପକ୍ଷ ଓ ଶ୍ରମିକ ସଂଗଠନ ସହିତ ଛଅ ଥର ତ୍ରିପାକ୍ଷିକ ବୈଠକ କରାଯାଇଥିଲେ ମଧ୍ଯ କୌଣସି ସମାଧାନ ହୋଇପାରିଲାନାହିଁ । ତେବେ ଏହି ଦାବି ପୁରଣ ନହେଲେ ଆସନ୍ତା ଶୁକ୍ରବାର ଦିନ ଶ୍ରମିକ ଓ ତାଙ୍କ ପରିବାର ପିଲାଛୁଆ ଧରି କାରଖାନା ମେନ୍ ଗେଟ୍ ଆଗରେ ଜାତୀୟ ରାଜପଥକୁ ଅନିର୍ଧଷ୍ଟ କାଳ ପାଇଁ ଅବରୋଧ କରିବେ ବୋଲି ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ବିର୍ଲା ଟାୟାର୍ସ କାରଖାନା ଗତ 2021 ମସିହାରେ ବନ୍ଦ ହୋଇଗଲା । ଏଥିରେ ଚାକିରି କରୁଥିବା 5000 ଶ୍ରମିକଙ୍କ ପରିବାର ପ୍ରତ୍ୟକ୍ଷରେ ଏବଂ ପରୋକ୍ଷ ଭାବରେ 10 ହଜାର ପରିବାର କ୍ଷତିଗ୍ରସ୍ତ ହୋଇଥିଲେ । ପ୍ରତ୍ୟେକମାସ ସାତ କୋଟି ଟଙ୍କା ଶ୍ରମିକ, ଷ୍ଟାଫ ଓ ଅଫିସରମାନଙ୍କୁ ପ୍ରଦାନ କରାଯାଉଥିଲା । ସେପଟେ କାରଖାନା NCLATକୁ ଗଲା ପରେ ଡାଲମିଆ ଭାରତ ଓ ହିମାଦ୍ରୀ କେମିକାଲ ବିର୍ଲା ଟାୟାର୍ସ କାରଖାନାକୁ ରିଭାଇଭାଲ ପାଇଁ ନେଲେ । ଦୀର୍ଘ 3 ବର୍ଷ 6 ମାସ ପରେ କାରଖାନା କାର୍ଯ୍ଯକ୍ଷମ ହେଲା । ହେଲେ 2200 ଶ୍ରମିକଙ୍କ 21 ମାସର ଦରମା ତଥା ସେମାନଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ କାରଖାନା କର୍ତ୍ତୃପକ୍ଷ ମନା କରିଦେଇଥିଲା ।