ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ
ଭୁବନେଶ୍ବର (ସଂକେତ ଟିଭି): ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଓ ନାରାବାଜି କରିଥିଲେ। କନ୍ଧମାଳ ମାଣ୍ଡିପଙ୍କା ଆମ୍ବଟାକୁଆ ମୃତ୍ୟୁ ମାମଲା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଅଚଳ ହୋଇଥିଲା। ବାଚସ୍ପତି ସୁରମା ପାଢୀ ଗୃହକୁ ୧୨ଟା ୨୫ ମିନିଟ୍ ଯାଏଁ ମୁଲତବି ଘୋଷଣା କରିଥିଲେ । ପରେ ପୁଣି ଗୃହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ପୁନର୍ବାର ଅଚଳାବସ୍ଥା ଦେଖିବାକୁ ମିଳିଛି । ଫଳରେ ବାଚସ୍ପତି ପୁଣି ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ସଦସ୍ୟ ଧନେଶ୍ୱର ମାଝୀ, ପୂର୍ବତନ ସଦସ୍ୟ ମକରଧ୍ୱଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉତ୍କଳ କେଶରୀ ପରିଡା, ପୂର୍ବତନ ସଦସ୍ୟ ପୂର୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ କରିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଦିବଙ୍ଗତ ସଦସ୍ୟଙ୍କ ସ୍ମୃତିଚାରଣ କରିଥିଲେ । ଶୋକ ପ୍ରସ୍ତାବ ଆଲୋଚନା ପରେ ଗୃହରେ ହଙ୍ଗାମା ଦେଖିବାକୁ ମିଳିଥିଲା । ଧର୍ମଶାଳା ବିଧାୟକ ଆକ୍ରମଣ ପ୍ରସଙ୍ଗରେ ଆଇନ ଶୃଙ୍ଖଳା ଓ କନ୍ଧମାଳ ତଥାକଥିତ ଅନାହାର ମୃତ୍ୟୁକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ । ସିଧା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନାରାବାଜୀ କରିଥିଲେ ।