ଗନ୍ଧମାର୍ଦ୍ଦନ ପାହାଡ଼ର ଇଞ୍ଚେ ବି କାହାକୁ ଦିଆଯିବ ନାହିଁ : କେ.ଭି ସିଂହଦେଓ
ଭୁବନେଶ୍ବର(ସଂକେତ ଟିଭି): ଗନ୍ଧମାର୍ଦ୍ଦନ ପାହାଡ଼ର ଇଞ୍ଚେ ବି ଜମି ମୋହନ ସରକାର କାହାକୁ ଦେବେ ନାହିଁ। ଯଦି ମୋହନ ସରକାର ସେ କାମ କରନ୍ତି ତେବେ ଜନଆନ୍ଦୋଳନରେ ନିଜେ ସାମିଲ ହେବେ । ଆଜି ବିଧାନସଭାରେ ଗନ୍ଧମାର୍ଦ୍ଦନ ପାହାଡ଼ ଜମି ପ୍ରସଙ୍ଗ ପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଏହା କହିଛନ୍ତି ।
ସୂଚନା ଅନୁସାରେ, ଆଜି ବିଧାନସଭାରେ ଗନ୍ଧମାର୍ଦ୍ଦନ ପାହାଡ଼ ଜମି ପ୍ରସଙ୍ଗ ଉଠିଥିଲା। ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏନେଇ ଆଲୋଚନା ଆରମ୍ଭ କରି ଉଦବେଗ ପ୍ରକାଶ କରିଥିଲେ। ସେ କହିଥିଲେ କି, ପୂର୍ବ ସରକାର ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସସାଇଟ ଖନନ ପାଇଁ ଅନୁମତି ଦିଆଯାଇଥିଲା, ତାହାକୁ ନେଇ ଜନ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଫଳରେ ସରକାର ଅନୁମତି ପ୍ରତ୍ୟାହାର କରିନେଇଥିଲେ। ଏବେ କିନ୍ତୁ ସରକାର ଗନ୍ଧମାର୍ଦ୍ଦନକୁ କମ୍ପାନି ହାତକୁ ଟେକି ଦେବାକୁ ଯାଉଛନ୍ତି। ଯେଉଁଠି ସରକାର ପରିବେଶର ମଙ୍ଗଳ ପାଇଁ ଜଙ୍ଗଲ ସୃଷ୍ଟି କରିବା କଥା, ତାହାକୁ ସରକାର ନଷ୍ଟ କରିବାକୁ ବସିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ଜନଆନ୍ଦୋଳନ ଆରମ୍ଭ କଲେଣି । ଏହାସହ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗ୍ରୁପକୁ ଜମି କିଣିବାକୁ ସରକାର ଅନୁମତି ଦେଇଛନ୍ତି କି ? ଗନ୍ଧମାର୍ଦ୍ଦନ ପାହାଡରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ୍ୟ ରଖାଯାଇଛି ସରକାର ସ୍ପଷ୍ଟ କରନ୍ତୁ । ଏହାସହ ରାଜ୍ୟ ସରକାରଙ୍କ ବିନା ଯଦି ଆଦାନୀ ଗ୍ରୁପ ଜମି କିଣିବାକୁ ସରକାର ଅନୁମତି ନ ଦେଇଛନ୍ତି ତେବେ ସରକାର ସେ କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ ।
ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ରଖି କେ.ଭି ସିଂହଦେଓ କହିଛନ୍ତି କି, ଆଦାନୀକୁ ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ। ହେଲେ ଗନ୍ଧମାର୍ଦ୍ଦନ ପାହାଡ଼ର ଇଞ୍ଚେ ବି ଜମି ମୋହନ ସରକାର କାହାକୁ ଦେବେ ନାହିଁ। ଯଦି ମୋହନ ସରକାର ସେ କାମ କରନ୍ତି ତେବେ ଜନଆନ୍ଦୋଳନରେ ନିଜେ ସାମିଲ ହେବେ ବୋଲି ସେ କହିଛନ୍ତି। ବିଜେଡିକୁ ପାଲଟା ପ୍ରଶ୍ନ କରି ସେ କହିଛନ୍ତି କି, ଗୃହରେ ବିଜେଡି ସଦସ୍ୟ ସ୍ୱୀକାର କରନ୍ତୁ ଯେ, ଆଦାନୀକୁ ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ ।