ଜୁନିୟର୍ ମାଇନିଂ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍
କେନ୍ଦୁଝର (ସଂକେତ ଟିଭି): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝରର ଜୁନିୟର୍ ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଭିଜିଲାନସ୍ ଭୁବନେଶ୍ୱର, କେନ୍ଦୁଝର, ଭବାନିପାଟଣା, ଯାଜପୁରର ୭ଟି ସ୍ଥାନରେ ଏହି ଚଢ଼ାଉ କରିଛି।
କେନ୍ଦୁଝରର ଜୁନିୟର୍ ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କର କେନ୍ଦୁଝର ଜଗନ୍ନାଥପୁରରେ ଥିବା ୨ମହଲା ଘର, ଭୁବନେଶ୍ୱରରେ ଥିବା ଘର, ଘସିପୁରା ତହସିଲ ମଦନପୁର ଠାରେ ଥିବା ଫାର୍ମ ହାଉସ୍, ଯାଜପୁର ଟମକା ନିକଟ ଯେମାଦେଇପୁର ଠାରେ ପୈତୃକ ଘର, କେନ୍ଦୁଝର ଅଫିସ୍, ଭବାନୀପାଟଣାରେ ଥିବା ଭଡ଼ାଘର, ଯାଜପୁର ଧର୍ମଶାଳା ନିକଟରେ ସମ୍ପର୍କୀୟଙ୍କ ଘରେ ଆଜି ସକାଳୁ ଭିଜିଲାନସ୍ ଚଢ଼ାଉ ଜାରି ରଖିଛି। ଏହି ରେଡ୍ ରେ ୭ଜଣ ଡିଏସପି, ୫ଜଣ ଇନିସ୍ପେକ୍ଟର, ୮ ଜଣ ଏଏସ୍ଆଇଙ୍କ ସହ ଅନ୍ୟମାନେ ସାମିଲ୍ ହୋଇଛନ୍ତି।
ତେବେ ଏହି ରେଡ୍ ସମୟରେ ଭିଜିଲାନ୍ସ 14 ପ୍ଲଟ ସମେତ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିବା ଜଣାପଡିଛି । ଭୁବନେଶ୍ୱରରେ ଏକ ଚାରି ମହଲା କୋଠା, କେନ୍ଦୁଝର ଜଗନ୍ନାଥପୁରରେ ଗୋଟିଏ ଦୁଇ ମହଲା କୋଠା, ଯାଜପୁର ଜମାଦିପୁର ସାସନରେ ଗୋଟିଏ କୋଠା ଓ କେନ୍ଦୁଝର ମଦନପୁରରେ ଗୋଟିଏ ଫାର୍ମହାଉସ୍ ଠାବ କରାଯାଇଛି । ଏହା ସହିତ 14ଟି ପ୍ଲଟ୍ ଠାବ କରାଯାଇଛି । ସେଥିମଧ୍ୟରୁ ଚାରିଟି ଭୁବନେଶ୍ୱର ଏବଂ କଟକ, ଏବଂ ଦଶଟି ଯାଜପୁରର ଦାନାଗାଡିରେ ଥିବା ଜଣାପଡିଛି ।