ଓଡିଶାକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ, ସୀମାନ୍ତରେ ଅଟକିଲା ଆଳୁ ଟ୍ରକ
ଜଳେଶ୍ବର (ଉମାକାନ୍ତ ନାୟକ): ପଶ୍ଚିମବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଓଡିଶାକୁ ଆଳୁ ରପ୍ତାନି ଉପରେ ରୋକ ଲଗାଇଛନ୍ତି । ପଶ୍ଚିମବଙ୍ଗ ବଜାରରେ ଆଳୁର ଦର ୩୫ ଟଙ୍କା ଓ ୪୦ଟଙ୍କା ଥିବାରୁ ବଜାରର ଦର ନିୟନ୍ତ୍ରଣ ପାଇଁ ଦିଦି ଆଳୁ ରପ୍ତାନି ଉପରେ ରୋକ ଲଗାଇଛନ୍ତି । ଗତ ବୁଧବାର ମଧ୍ୟ ରାତ୍ରିରୁ ଜାତୀୟ ରାଜପଥ ଉପରେ ପଶ୍ଚିମବଙ୍ଗ ପୋଲିସ ନାକା ପଏଣ୍ଟ କରି ଚେକିଂ ଜୋରଦାର କରିଛି । ଆନ୍ତଃରାଜ୍ୟ ସୀମା ଦେଇ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ କରାଯାଇଛି।
ପଶ୍ଚିମ ମେଦିନୀପୁର ଜିଲ୍ଲା ପୋଲିସ ନାକାରେ ଆଳୁ ଗାଡି ଅଟକ ରଖା ଯାଇଛି । ବେଲଦା ପୋଲିସ୍ ଷ୍ଟେସନର ଶ୍ୟାମପୁରା ଜାତୀୟ ରାଜପଥ, ଦାନ୍ତୁନ ପୋଲିସ୍ ଷ୍ଟେସନର ବାମନପୁକୁର ଏବଂ ସୋନାକୋନିଆ ପୋଲିସ୍ ନାକା ଚେକ୍ ପୋଷ୍ଟରୁ ଆଳୁ ଟ୍ରକ ଗୁଡିକୁ ପୁଣି ପଶ୍ଚିମ ବଙ୍ଗ ଚନ୍ଦ୍ରକୋନାକୁ ପଠାଇ ଦିଆଯାଇଛି ।
ମମତା ବାନାର୍ଜୀ ରାଜ୍ୟରେ ଆଳୁ ପିଆଜ ଦର ନେଇ ନବାନ୍ନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଡାକିଥିଲେ। ଆଳୁ ପିଆଜ ଦର ବୃଦ୍ଧି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ। ଏହାପରେ ବଙ୍ଗ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି। ସେପଟେ ସୀମାରେ ଆଳୁ ଗାଡି ଅଟକିବା ପରେ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି।
ପଶ୍ଚିମ ବଙ୍ଗ ଆଳୁ ଆମଦାନୀ ବନ୍ଦ କରିବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଆଳୁ ଟ୍ରକ ବନ୍ଦ ନେଇ ନବୀନଙ୍କ ଆଡକୁ ଦୋଷ ଠେଲିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆଳୁ ଟ୍ରକ ରୋକିବା ଘଟଣାରେ ଭାଇ ଭଉଣୀ ସମ୍ପର୍କକୁ ଦାୟୀ କଲେ ମନ୍ତ୍ରୀ । “ପଶ୍ଚିମ ବଙ୍ଗ କାହିଁକି ବାରମ୍ବାର ଏଭଳି କରୁଛି ମୁଁ ଜାଣିନାହିଁ । ଭାଇ କହିଥିବେ ବୋଲି ଭଉଣୀ ବନ୍ଦ କରିଥିବେ କିମ୍ବା ଭାଇ ଚିଠି ଲେଖିଥିବେ, ସେଥିପାଇଁ ଆଳୁ ଦେଉନାହାନ୍ତି । ତେବେ କଣ ପାଇଁ ବନ୍ଦ କରାଯାଇଛି ଅନୁଧ୍ୟାନ କରିବି । ଆମେ ପ୍ରତିଶୃତି ଦେଉଛୁ, ଖାଉଟିଙ୍କ କୌଣସି ଅସୁବିଧା ହେବ ନାହିଁ । ଆମେ ଆଳୁ ପାଇଁ ଅନ୍ୟ ରାଜ୍ୟ ସହ ଆଲୋଚନା କରୁଛୁ । ଆଜି ସନ୍ଧ୍ୟାରେ ମଧ୍ୟ ଏନେଇ ବୈଠକ ଅଛି,” ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।