ଡିଜି-ଆଇଜି ସମ୍ମିଳନୀ ଉଦ୍ଘାଟିତ, ଉଦ୍ଘାଟନ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ଲୋକସେବା ଭବନରେ ଡିଜିପି-ଆଇଜିପି ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ସାରା ଦେଶର ଡିଜିପି/ଆଇଜିପି ଯୋଗ ଦେଇଛନ୍ତି। ଲୋକସେବା ଭବନରେ ସମ୍ମିଳନୀକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦ୍ଘାଟନ କରିଛନ୍ତି। ୩ ଦିନ ଧରି ଏହି ସମ୍ମିଳନୀ ଚାଲିବ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ତିନି ଦିନ ଧରି ଏହି ସମ୍ମିଳନୀରେ ନକ୍ସଲ ମୂଳୋତ୍ପାଟନ ସହ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା ହେବ ।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ଥିଲେ। ଏଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ସ୍ବାଗତ ଜଣାଇଥିଲେ। ଏହା ପରେ ଶ୍ରୀ ଶାହ ସିଧାସଳଖ ଲୋକସେବା ଭବନରେ ପହଞ୍ଚି ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ। ବୈଠକ ସରିବା ପରେ ଶ୍ରୀ ଶାହ ଆଇପିଏସ୍ ମେସ୍କୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି। ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ମୋଦୀ ପହଞ୍ଚିଲା ପରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝ, ଉପମୁଖ୍ୟମନ୍ତ୍ରୀ କନକ ବର୍ନ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ ଓ ଅଭିନନ୍ଦନ ଜଣାଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦର ନିକଟରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଏହା ପରେ ସେଠାରୁ ରାଜଭବନକୁ ଯାଇଥିଲେ। ପରେ ସେ ଆଜି ସନ୍ଧ୍ୟା ୬ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେଠାରେ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏହାପରେ ରାଜଭବନରେ ରାତ୍ରୀଯାପନ କରିବେ।