ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସବୁବେଳେ ସମର୍ଥନ ଦେଉଛି : ମୋଦି
ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସବୁବେଳେ ସମର୍ଥନ ଦେଇ ଆସୁଛନ୍ତି। କେନ୍ଦ୍ରରେ ଓଡ଼ିଶାର ପ୍ରତିନିଧିତ୍ବକୁ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ରର କାର୍ଯ୍ୟ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ଓଡ଼ିଶାକୁ ବିଜେପି ନୂଆନୂଆ ଯୋଜନା ଭେଟି ଦେଇଛି। ତିନିଦିନିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନବନ୍ଦର ନିକଟରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ଶୁକ୍ରବାର ସନ୍ଧ୍ୟାରେ ଏହା କହିଛନ୍ତି।
ସେ କହିଛନ୍ତି ଯେ ନିକଟରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ପର୍ବରେ ଯୋଗଦେବାର ସୁଯୋଗ ମିଳିଥିଲା। ସେଠାରେ ଓଡ଼ିଶାର ଚା’ ପିଇଥିଲି। “ଓଡ଼ିଶା ଲୋକେ ହୃଦୟ ଖୋଲି ଆମକୁ ସମର୍ଥନ କରିଛନ୍ତି । ପୂର୍ବରୁ ମନ୍ତ୍ରିପରିଷଦରେ ଓଡ଼ିଶାରୁ କେବେ ଏତେ ସଦସ୍ୟ ନଥିଲେ । ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଭୋଟ୍ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପିର ଶକ୍ତିକୁ ନେଇ ପ୍ରଶ୍ନ କରୁଥିଲେ । ବିଜେପିର କାମକୁ ଦେଖି ଲୋକେ ଭୋଟ୍ ଦେଉଛନ୍ତି ।
ମହାରାଷ୍ଟ୍ର ନିର୍ବାଚନ ସଂପର୍କରେ ସେ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ଫଳ, ହରିୟାଣା ନିର୍ବାଚନ ଫଳ ପରେ ଦେଶରେ ବିଶ୍ବାସ ଭରିଛି। ଏହି ବିଜୟର ଅୟମାରମ୍ଭ ଓଡ଼ିଶାରୁ ହୋଇଛି। ବିରୋଧୀ ଦଳ ମୋଦୀ ସରକାରଙ୍କ ବିରୋଧରେ ସବୁବେଳେ ଅପପ୍ରଚାର କରୁଛନ୍ତି। କିନ୍ତୁ ଜନତା ମୋଦୀ ସରକାରଙ୍କୁ ଆଶୀର୍ବାଦ କରୁଛନ୍ତି। ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ କିଛି ଲୋକ କହୁଥିଲେ ଓଡ଼ିଶାରେ ବିଜେପିର ବଳ ନାହିଁ। ମାତ୍ର ନିର୍ବାଚନ ଫଳାଫଳ ଓଲଟା ଦେଖାଗଲା ବୋଲି ସେ କହିଛନ୍ତି।