CrimeLatestNews

ରାଜ୍ୟ ପୋଲିସ ବିଭାଗରେ ଖାଲି ପଡିଛି ୧୩ ହଜାର ୩୭୩ ପଦବୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ପୋଲିସ ବିଭାଗରେ ୧୩ ହଜାର ୩୭୩ ପଦବୀ ଖାଲି ପଡ଼ିଛି। ସେହିପରି ଅଗ୍ନିଶମ ବିଭାଗରେ ୪୮୧ ପଦବୀ ଖାଲି ରହିଥିବାବେଳେ ୨୪୧୬ ହୋମଗାର୍ଡ ପଦବୀ ମଧ୍ୟ ଖାଲି ରହିଛି । ସୋମବାର ବିଧାନସଭାରେ ଗୃହ ବିଭାଗକୁ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।

କାରାଗାର ଏବଂ ଉପକାରାଗାରଗୁଡ଼ିକରେ ୮୬୨ ପଦବୀ ଖାଲି ପଡିଛି । ତେଣୁ ପଦବୀ ଗୁଡିକରେ ନିଯୁକ୍ତି ପାଇଁ ଚୟନ ଓ ପଦୋନ୍ନତି ଭିତ୍ତିରେ ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ପୋଲିସ ଆଧୁନିକୀକରଣ, ମାଓବାଦୀ ଦମନ, ଅପରାଧ ନିରାକରଣ, ପାଇଁ କେନ୍ଦ୍ର ସରକାର ୨ ବର୍ଷରେ ରାଜ୍ୟ ପୁଲିସ ବିଭାଗକୁ ବିଭିନ୍ନ ଯୋଜନାରେ ମୋଟ ୧୬୬.୪୯୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ମାଓବାଦୀ ପ୍ରଭାବିତ ଇଲାକାରେ ଭିତ୍ତିଭୂମି ନିର୍ମାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ନିରାପତ୍ତା, ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପୁନଃଥଇଥାନ ବାବଦରେ ଏହା ଖର୍ଚ୍ଚ କରାଯାଉଛି। ପୋଲିସ ବିଭାଗର ଆଧୁନୀକିକରଣ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି ।
ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ସମାଗ୍ରୀ ଯୋଗାଯୋଗ ସାମଗ୍ରୀ, ଗୁଇନ୍ଦା ସୁରକ୍ଷା ଉପକରଣ ଆଦି କିଣିବାରେ ମଧ୍ୟ ଅର୍ଥ ବ୍ୟୟ କରାଯାଉଥିବା ନେଇ ମୁଖ୍ୟମନ୍ତ୍ରୀ ତଥ୍ୟ ଉପସ୍ଥାପନ କରିଛନ୍ତି।

୧୦ ବର୍ଷରେ ୧୨୩ ମାଓବାଦୀ ନିହତ ହୋଇଛନ୍ତି । ସେହିପରି ମାଓବାଦୀଙ୍କ ବିରୋଧରେ ହୋଇଥିବା ଅପରେସନରେ ୧୧ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ବୋଲି ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି।