ରାଜ୍ୟରେ ଖାଲି ପଡିଛି ୫୦୧୪ ଡାକ୍ତର ପଦବୀ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ୩୦ଟି ଜିଲ୍ଲାରେ ୩୭୫ଟି ସିଏଚସିରେ ଡାକ୍ତର ନାହାନ୍ତି।ରାଜ୍ୟରେ ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହିତ ମୋଟ ୫ ହଜାର ୧୪ ପଦବୀ ଖାଲି ପଡିଛି । ବିଧାନସଭାର ଶୀତକାଳୀନ ଅଧିବେଶନରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସର୍ବାଧିକ ଗଞ୍ଜାମରେ ୪୫୦ ଡାକ୍ତରଙ୍କ ପଦବୀ ଖାଲି ପଡିଛି । ସେହିପରି ମୟୂରଭଞ୍ଜରେ ୩୦୯ ପଦବୀ ଖାଲି ପଡିଛି । ଖୋର୍ଦ୍ଧାରେ ୧୨, କଟକ ଏସସିବିରେ ୨୮୧ ଡାକ୍ତର ପଦବୀ ଖାଲି ପଡିଛି । ମୟୂରଭଞ୍ଜ ଓ ଗଞ୍ଜାମରେ ସର୍ବାଧିକ ୮୭ ଲେଖାଏଁ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ଖାଲି ରହିଛି । ସେହିପରି ଖୋର୍ଦ୍ଧାରେ ୨୯, କଟକରେ ୪୩ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ଖାଲି ପଡିଛି। ସରକାର ଡାକ୍ତରୀ ପଦବୀ ପୂରଣ ଦିଗରେ କାମ କରୁଛନ୍ତି । ପର୍ଯ୍ୟାୟକ୍ରମେ ଏସବୁ ପଦବୀ ପୂରଣ ହେବ ।
ରାଜ୍ୟରେ ଡାକ୍ତର ନିଯୁକ୍ତି ହେଉ ନ ଥିବାବେଳେ ଏକାଧିକ ଡାକ୍ତର ଛୁଟିରେ ରହିବା ସ୍ୱାସ୍ଥ୍ୟସେବା ସଙ୍କଟରେ ପଡ଼ିଛି। ତେଣୁ ଏନେଇ କ’ଣ ପଦକ୍ଷେପ ନିଆଯାଉଛି ବୋଲି ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।
ଦୀର୍ଘଦିନ ଧରି ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେମାନଙ୍କ ଛୁଟିର କାରଣ ଯାଞ୍ଚ୍ କରାଯାଇ ସେମାନଙ୍କ ବିରୋଧରେ ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।