LatestNews

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର (ସଂକେତ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଅପରାହ୍‌ଣ ସାଢ଼େ ୪ଟାରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିଲା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିମ ମନୋଜ ଆହୁଜା, ଭୁବନେଶ୍ବର ମେୟର ସୁଲୋଚନା ଦାସ ସ୍ବାଗତ କରିଛନ୍ତି।

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ରାଷ୍ଟ୍ରପତି ଅନାବରଣ କରିବେ। ଏଥିସହିତ ସେ ଭୁବନେଶ୍ୱରରେ ଆଦିମ ଓୱାର ଜାର୍ପା ଜାହେର ପରିଦର୍ଶନ କରିବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବୁଧବାର ସକାଳ ୯ଟାରେ ରାଜଭବନରୁ ବାହାରିବେ। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପୂର୍ବାହ୍ନ ୯ଟା ୪୫ମିନଟରେ ପୁରୀସ୍ଥିତ ତାଳବଣୀଆ ହେଲିପ୍ୟାଡରେ ଅବତରଣ କରିବେ। ସେଠାରେ ପୂର୍ବାହ୍ଣ ୧୦ଟା ସମୟରେ ଶ୍ରୀମନ୍ଦିର ଯାଇ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହାପରେ ୧୦.୫୦ରେ ପୁରୀସ୍ଥିତ ଶ୍ରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ପୁରୀ ରାଜଭବନ ଠାରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୩ଟା ୩୦ମିନିଟ ସମୟରେ ନୌସେନା ଦିବସ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେବେ। ବୁଧବରୀ ରାତି ପୁରୀ ରାଜଭବନ ଠାରେ ରାଷ୍ଟ୍ରପତିଙ୍କ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି।

୫ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥି୍‌ତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ରାଜଭବନରେ ମଧ୍ୟାହ୍ନ ଭୋଜନ କରିବାପରେ ସନ୍ଧ୍ୟା ୫ଟା ୧୦ମିନିଟରେ ଭୂବନେଶ୍ୱର ‘ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ’ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସନ୍ଧ୍ୟା ୬ଟା ୩୦ମିନିଟରେ ସେଠାରୁ ବାହାରି ରାଜଭବନ ଠାରେ ରାତ୍ରୀଯାପନ କରିବେ।

ଶୁକ୍ରବାର ସକାଳ ୯ଟାରେ ରାଜଭବନରୁ ବାହାରି ଡକ୍ଟର ବି.ଆର୍.ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ଅବସରରେ ଭୁବନେଶ୍ୱର ଏ.ଜି.ଛକ ଠାରେ ବାବା ସାହେବଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରିବେ। ଏହାପରେ ପୂର୍ବାହ୍ନ ୯.୧୫ମିନିଟ ସମୟରେ ବିଜୁପଟ୍ଟନାୟକ ବିମାନବନ୍ଦରରୁ ବାୟୁସେନାର ବିମାନ ଯୋଗେ ପଶ୍ଚିମବଙ୍ଗସ୍ଥିତ କଲେଇକୁଣ୍ଡା ଏୟାରବେସରେ ୧୦.୧୫ମିନିଟ ସମୟରେ ଅବତରଣ କରିବେ। ଏହା ପରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ପୁର୍ବାହ୍ନ ୧୧ଟା ୦୫ମିନିଟରେ ଅବତରଣ କରିବେ। ସେଠାରୁ ସଡକପଥରେ ନିଜ ଜନ୍ମଗାଁ ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ। ମଧ୍ୟାହ୍ଣ ୧୨.୦୫ରେ ସେଠାରୁ ବାହାରି ଉପରବେଡାସ୍ଥିତ ପୈତୃକ ଘରେ ପହଞ୍ଚି ଆତ୍ମୀୟସ୍ବଜନ ଓ ଗ୍ରାମବାସୀଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ୧୨.୩୦ମିନିଟରେ ଉପରବେଡାରୁ ବାହାରି ସଡକପଥରେ ରାଇରଙ୍ଗପୁରସ୍ଥିତ ଗେଷ୍ଟ ହାଉସ ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନ ୩ଟା ସମୟରେ ସେଠାରୁ ବାହାରି ରାଇରଙ୍ଗପୁରସ୍ଥିତ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ପହଞ୍ଚି ନିଜ ସ୍ବାମୀ ଓ ୨ପୁତ୍ରଙ୍କ ସ୍ମୃତିରେ ସ୍ଥାପନ କରିଥିବା ଏସ.ଏଲ୍.ଏସ୍. ଟ୍ରଷ୍ଟ ପକ୍ଷରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବା ସହ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହାପରେ ଅପରାହ୍ନ ୪ଟା ସମୟରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଠାରେ ପହଞ୍ଚି ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ସହ ଭାବବିନିମୟ କରିବେ। ସେଠାରୁ ବାହାରି ଅପରାହ୍ନ ୪ଟା ୫୦ମିନିଟ ସମୟରେ ରାଇରଙ୍ଗପୁରସ୍ଥିତ ପୁଣ୍ୟେଶ୍ବର ଶିବମନ୍ଦିର ଠାରେ ନୂତନ ଭାବେ ସ୍ଥାପିତ ଗଣେଶ ମୂର୍ତ୍ତିକୁ ଉନ୍ମୋଚନ କରିବେ ଏବଂ ଆଳତୀ କରିବେ ପରେ ନିଜ ବାସଭବନକୁ ଆସି ରାତ୍ରୀଯାପନ କରିବେ।

ଶନିବାର ପୂର୍ବାହ୍ନ ୧୦ଟାରେ ରାଇରଙ୍ଗପୁରସ୍ଥିତ ନିଜ ବାସଭବନରୁ ବାହାରି ଦଣ୍ଡବୋଷ ହେଲିପ୍ୟାଡରୁ ହେଲିକ୍ୟାପ୍ଟର ଯୋଗେ ଆସି ୧୦ଟା ୪୫ମିନିଟ ସମୟରେ ବାଙ୍ଗରିପୋଷିସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ। ହେଲିପ୍ୟାଡରୁ ପୁର୍ବାହ୍ନ ୧୧ଟା ସମୟରେ ବାହାରି ବାଙ୍ଗରିପୋଷୀ ରେଳଷ୍ଟେସନସ୍ଥିତ ସଭାସ୍ଥଳରେ ପହଞ୍ଚିବେ। ବାଙ୍ଗରିପୋଷୀ ସଭାସ୍ଥଳରେ ବାଙ୍ଗରିପୋଷୀ-ଗୋରୁମହିଷାଣି, ବୁଢାମରା- ଚାକୁଳିଆ, ବାଦାମପାହାଡ-କେନ୍ଦୁଝର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଭର୍ଚ୍ଚୁଆଲ ମୋଡରେ ରାଇରଙ୍ଗପୁର ଠାରେ ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତୀକରଣ ଓ ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଏକ ନୂତନକୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ରଖିବେ। ମଧ୍ୟାହ୍ନରେ ବାଙ୍ଗରିପୋଷି ସଭାସ୍ଥଳରୁ ବାହାରି ବାୟୁସେନାର ହେଲିକ୍ୟାପ୍ଟର ଯୋଗେ ପଶ୍ଚିମବଙ୍ଗସ୍ଥିତ କଲେଇକୁଣ୍ଡା ଏୟାରବେସରେ ପହଞ୍ଚି ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀକୁ ଯାତ୍ରା କରିବେ।